ମୋଦୀଙ୍କ ସୁନାର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୁଜୁରାଟ ବ୍ୟବସାୟୀ

Published: Jan 21, 2023, 7:35 am IST
Gold Statue of Modi

Gold Statue of Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନାର ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟ ସୁରଟର ଜଣେ ସୁନା ବ୍ୟବସାୟୀ। ତାଙ୍କ ନାମ ହେଉଛି ବସନ୍ତ ବୋହରା। ସେ ରାଜସ୍ଥାନରୁ ଆସି ସୁରଟରେ ଦୀର୍ଘ ବର୍ଷ ଧରି ସୁନା ବ୍ୟବସାୟ କରୁଛନ୍ତି। ସେ ରାଧୀକା ଚେନ୍ସର ମାଲିକ।

ସେ ମୋଦୀଙ୍କର ୧୫୬ ଗ୍ରାମ ଓଜନର ଏହି ସୁନାର ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହା ତାଙ୍କୁ ତିନିମାସ ସମୟ ଲାଗିଥିଲା। ଏଥିପାଇଁ ପ୍ରାୟ ୨୦ ଜଣ କାରୀଗର ଲାଗିଥିଲେ। ଏଥିରେ ଯେଉଁ ସୁନା ବ୍ୟବହାର ହୋଇଛି ତାହା ହେଉଛି ୧୮ କ୍ୟାରେଟର, ଯାହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ପ୍ରକୃତରେ ଏହି ମୂର୍ତ୍ତିଟିରେ ପ୍ରାୟ ୧୫୬ ଗ୍ରାମରୁ ଅଧିକ ସୁନା ବ୍ୟବହାର କରାଯାଇଥିଲା। ହେଲେ ଗତ ଡିସେମ୍ବର ମାସରେ ଗୁଜୁରାଟରେ ବିଜେପି ୧୮୨ ଆସନରୁ ୧୫୬ ଆସନରେ ବିଜୟ ଲାଭ କରିଥିବାରୁ ବସନ୍ତ ଏହାର ଓଜନକୁ ହ୍ରାସ କରି ୧୫୬ ଗ୍ରାମ କରିଛନ୍ତି। ସେଥିପାଇଁ ଏହି ସୁନାର ମୂର୍ତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛି।

ବସନ୍ତ କୁହନ୍ତି ଯେ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ ପ୍ରଶଂସକ। ତାଙ୍କର ଆଦର୍ଶରେ ସେ ଅନୁପ୍ରାଣିତ। ତାଙ୍କୁ କିପରି ସ୍ମରଣୀୟ ରଖିବି ସେଥିପାଇଁ ମୁଁ ଚିନ୍ତା କରୁଥିଲି। ଯେହେତୁ ମୁଁ ସୁନା ବ୍ୟବସାୟ କରେ ସେଥିପାଇଁ ସୁନାର ଏକ ମୂର୍ତ୍ତି ନିର୍ମାଣ କରିବି ବୋଲି ନିଷ୍ପତି କଲି।

ତେବେ ସେ ଏହି ମୂର୍ତ୍ତିକୁ ବର୍ତ୍ତମାନ ପାଇଁ କାହାକୁ ବିକ୍ରୟ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ ଏହାର କୌଣସି ମୂଲ୍ୟ ସ୍ଥିର କରି ନାହାଁନ୍ତି। ବର୍ତ୍ତମାନ ପାଇଁ ସେ ଏହି ମୂର୍ତ୍ତିକୁ ନିଜ ପାଖରେ ରଖିବେ। କିଛି ବର୍ଷ ପରେ ସେ ବିକ୍ରୟ କରିବେ କି ନାହିଁ ଚିନ୍ତା କରିବେ ବୋଲି କହିଛନ୍ତି।

ପୂର୍ବରୁ ଷ୍ଟାଚ୍ୟୁ ଅଫ ୟୁନିଟର ଏକ ସୁନାର ମୂର୍ତ୍ତି ନିର୍ମାଣ କରି ବସନ୍ତ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତି ସମୟରେ ସେ ସେହି ମୂର୍ତ୍ତିକୁ ବିକ୍ରି କରି ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରି ସେ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Related posts