ମଦର ହୋମ୍‌ ଡେଲିଭରୀ କରିବାକୁ ନିଷ୍ପତ୍ତି ନେଲା ବିଏମ୍‌ସି : ଆଜିଠାରୁ ମିଳିବ ମଦ

Published: May 23, 2020, 9:28 am IST

ମୁମ୍ବାଇ : ଭାରତରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 25 ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲକ୍‌ ଡାଉନ୍‌ 4.0ରେ କଟକଣା କୋହଳ ହେବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଅନ୍ୟାନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଅନ୍‌ଲାଇନ୍‌ ଖାଦ୍ୟ ମଗାଇ ଯାଉଥିବାବେଳେ ଏବେ ମଦର ହୋମ୍‌ ଡେଲିଭରୀ କରିବାକୁ ନି୍ଷ୍ପତ୍ତି ନେଇଛି ବିଏମ୍‌ସି। ମୁମ୍ବାଇ ସହରରେ ମଦର ହୋମ ଡେଲିଭରୀ କରିବାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ୍‌ ଏପରି ନିଷ୍ପତ୍ତି ନେଇଛି । ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ମୁମ୍ବାଇରେ ମଦର ହୋମ୍‌ ଡେଲିଭରୀ ଆରମ୍ଭ ହେବ । ଲୋକମାନେ ଘରେ ବସି ମଦର ଅର୍ଡର ଦେଇପାରିବେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାରର ସେବା ମିଳିପାରିବ ନାହିଁ । ଯେଉଁ ଦୋକାନୀମାନେ ଅନୁମତି ପାଇଛନ୍ତି, ସେମାନେ ହିଁ ଏହାର ହୋମ୍‌ ଡେଲିଭରୀ କରିବେ। ଏହି ଦୋକାନଗୁଡିକ କାଉଣ୍ଟରରେ କୌଣସି ପ୍ରକାରର ମଦ ବିକ୍ରି ହୋଇପାରିବ ନାହିଁ। ଦୋକାନୀମାନେ ଇ-କମର୍ସ ପ୍ଲାଟଫର୍ମ ଦ୍ବାରା ମଦର ହୋମ୍‌ ଡେଲିଭରୀ କରିପାରିବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ଗତ 24 ଘଣ୍ଟାରେ 2940ଟି ନୂତନ ମାମଲା ଆସିଛି । ସେହିପରି 63 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ 44582ଜଣ ଆକ୍ରାନ୍ତ ଥିବାବେଳେ ମୋଟ୍‌ 1,517ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts