
ଭୁବନେଶ୍ବର, ଦୈତନଗରୀ ଭୁବନେଶ୍ୱର ଓ କଟକବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ କେବୁଲ୍ ଯୋଗେ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୧୩୦୦ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଚାହିଦା ପୂରଣ ହୋଇପାରିବ ଏବଂ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମ୍ଭବ ହେବ । ଏହି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ଓ ଆଗାମୀ ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗତ ଫନି ବାତ୍ୟା ବେଳେ ଭୁବନେଶ୍ବର କଟକରେ ବିଦ୍ୟୁତ ସେବା ପୁରା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଫଳରେ ମହାନଗରବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ। ମୁଖ୍ୟତଃ ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥାଏ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।