ରାଜ୍ୟ ସରକାରଙ୍କ ଫୋକସରେ ପଂଚାୟତ ଓ ସହରାଞ୍ଚଳର ଉନ୍ନୟନ; ୨୩,୮୪୮ କୋଟି ଟଙ୍କା ଦେବାକୁ ନିଷ୍ପତି

Published: Jul 7, 2020, 10:48 pm IST

ଭୁବନେଶ୍ୱର, ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳଗୁଡିକୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଏହା ଚୁଡାନ୍ତ ହୋଇଛି ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପାଣ୍ଠି ହସ୍ତାନ୍ତର ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ପାଣ୍ଠି ବିନିଯୋଗ ତ୍ଵରାନ୍ୱିତ କରିବା ସହ ଏହାର ସର୍ବାଧିକ ଉନ୍ନୟନମୂଳକ ଫଳାଫଳ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ପଂଚାୟତ ଓ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ୱ ସୃଷ୍ଟି ସମ୍ଭାବନା ଥିବା କମ୍ୟୁନିଟି ଆବଶ୍ୟକତା ଭିତ୍ତିକ ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ କରିବା ସହ ବାର୍ଷିକ ଅନ୍ୟୁନ୍ୟ ୬ ପ୍ରତିଶତ ରାଜସ୍ୱ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସହରାଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପାଣ୍ଠିକୁ ୨୦୨୦-୨୧ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ହସ୍ତାନ୍ତର କରିବା ନିଷ୍ପତ୍ତି ହୋଇଥିଲା।

ଗୋଟିଏ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ପାଣ୍ଠି ୨ ଟି କିସ୍ତିରେ ପ୍ରଦାନ କରାଯିବ ୧ମ କିସ୍ତି ମେ-ଜୁନ୍ ମାସ ମଧ୍ୟରେ ଏବଂ ୨ୟ କିସ୍ତି ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ହସ୍ତାନ୍ତର କରାଯିବ । ପ୍ରଥମ ପର‌୍ୟ୍ୟାୟରେ ଆରମ୍ଭ ହୋଇଥିବା ପ୍ରକଳ୍ପର ଶତକଡା ୩୦ ଭାଗ ନ ସାରିଲେ ୨ୟ କିସ୍ତି ମିଳିବ ନାହିଁ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ମୀନା କହିଥିଲେ ଯେ ଏହି ୬ ବର୍ଷ ମଧ୍ୟରେ ପଂଚାୟତିରାଜ ଅନୁଷ୍ଠାନମାନେ ପ୍ରାୟ ୧୫,୭୧୫.୬୦ କୋଟି ଏବଂ ସହରାଞ୍ଚଳମାନେ ପ୍ରାୟ ୮,୧୩୨.୫୨ କୋଟି ଟଙ୍କା ପାଇବେ । ପାନୀୟଜଳ, ଜଳ ଅମଳ, ପରିମଳ, କଠିନ ବର୍ଜବସ୍ତୁ ପରିଚାଳନା, ସୌର ଶକ୍ତି, ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ସବ୍-ସେଣ୍ଟର କେନ୍ଦ୍ରର ରକ୍ଷଣାବେକ୍ଷଣ, ଜଳର ଗୁଣାତ୍ମକମାନ ପରୀକ୍ଷାଗାର, ନର୍ଦ୍ଦମା ନିଷ୍କାସନ ରେ ଥିବା ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା, ବର୍ଷାଜଳ ନିଷ୍କାସନ ଏବଂ ଅନ୍ୟାନ୍ୟ କମ୍ୟୁନିଟି ସଂପତ୍ତି ଆଦିର ରକ୍ଷଣାବେକ୍ଷଣ ଆଦି ପ୍ରକଳ୍ପରେ ଏହି ପାଣ୍ଠି ବିନିଯୋଗ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଯେଉଁ କମ୍ୟୁନିଟି ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇନାହିଁ କେବଳ ସେଗୁଡିକୁହିଁ ଏହି ପାଣ୍ଠି ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ଜିତ୍ ନାୟକ ପ୍ରମୁଖ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ଏଲୋରା ମହାନ୍ତି ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ ।

Related posts