ଦେଶର ଅର୍ଥନୀତିର କ୍ରମଶଃ ସୁଧାର ଆସୁଛି, କହିଲେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Published: Jul 11, 2020, 5:01 pm IST

ନୂଆଦିଲ୍ଲୀ: କରୋନା ସଂକଟ କାରଣରୁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଥିଲା, କଟକଣା କୋହଳ ହେବା ପରେ ତାହା କ୍ରମଶଃ ସୁଧୁରୁଛି। ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାର ଲକ୍ଷଣ ଦେଖା ଦେଉଛି। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଶନିବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆୟୋଜିତ ‘ ସପ୍ତମ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍‌କ୍ଲେଭ୍’ରେ ଉଦ୍‌‌ବୋଧନ ଦେଇ ସେ କହିଲେ, ଲକ୍‌ଡାଉନ୍‌ ସମୟରେ ଦେଶର ଆର୍ଥନୈତିକ ଧାରାକୁ ଜାରି ରଖିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲା।

ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍‌ସାଇଟ୍ ସର୍ଭିଲେନ୍‌ସ୍ ମେକାନିଜମ୍’ ସୁଦୃଢ଼ କରିଥିବା ଶ୍ରୀ ଦାସ କହିଛନ୍ତି। ଅର୍ଥନୀତିରେ ସୃଷ୍ଟି ମାନ୍ଦାବସ୍ଥା ଦୂର କରିବା ପାଇଁ କରୋନା ମହାମାରୀ ପୂର୍ବରୁ ହିଁ ରୋପୋ ରେଟ ହ୍ରାସ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର କହିଛନ୍ତି। ଅର୍ଥନୈତିକ ଧାରାକୁ ବିପଦରୁ ଉଦ୍ଧାର କରିବାକୁ ପାଣ୍ଠି ବୃଦ୍ଧି ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କ୍ରେଡିଟ୍ ଫ୍ଲୋ ସୁନିଶ୍ଚିତ କରିଛି।

Related posts