ଦିନକୁ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ, ମୋଟ ସଂଖ୍ୟା ଟପିଲା ୩.୫ କୋଟି

Published: Aug 23, 2020, 11:09 pm IST

ନୂଆଦିଲ୍ଲୀ, ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି। ଗତ ୬ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧,୧୪୭ ନମୁନା ପରୀକ୍ଷା କରାଯାଇ ପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୫୨,୯୨,୨୨୦ରେ ପହଞ୍ଚିଛି।

ବ୍ୟାପକ ନମୁନା ପରୀକ୍ଷଣ କାର‌୍ୟ୍ୟକ୍ରମକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯାଉଛି। ଗତ ୩ ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।

ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଆଜି ୨୫,୫୭୪ ପହଞ୍ଚିଛି। ବ୍ୟାପକ ପରୀକ୍ଷଣ ଦ୍ଵାରା ସଂକ୍ରମିତଙ୍କୁ ସଅଳ ଚିହ୍ନଟ କରାଯିବା ସହ ସେମାନଙ୍କୁ ଏକାନ୍ତବାସରେ ରଖାଯିବା ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି।

ନମୁନା ପରୀକ୍ଷଣକୁ ଜୋରଦାର କରାଇବା ଯୋଗୁଁ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟାଯାଇଛି। ୯୮୩ଟି ସରକାରୀ ଓ ୫୩୨ଟି ବେସରକାରୀ ପରୀକ୍ଷାଗାର ଏହିପରି ୧୫୧୫ଟି ପରୀକ୍ଷାଗାରରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସମ୍ଭବ ହୋଇପାରୁଛି।

Related posts