
ନୂଆଦିଲ୍ଲୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଭିଡିଓକନ୍ ଋଣ ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଦୀପକ କୋଚରଙ୍କୁ ଗିରଫ କରାଯାଇଛି ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ବର୍ଷ ଭିଡିଓକନ୍ ନିର୍ଦ୍ଦେଶକ ଭେନୁଗୋପାଲ ଧୋଟ୍ ଏବଂ ତାଙ୍କ କମ୍ପାନୀ “ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍” ଏବଂ “ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍” ବିରୋଧରେ ସିବିଆଇ ଦ୍ୱାରା ମାମଲା ପଞ୍ଜୀକୃତ ହୋଇଥିଲା। ତାଙ୍କର ଅଭିଯୋଗ ଆଧାରରେ ଇଡି ମନି ଲଣ୍ଡରିଂ ମାମଲା ଦାଖଲ କରିବାର ପ୍ରାୟ ଏକ ବର୍ଷ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।