ଜନବିରୋଧୀ କୃଷି ଆଇନ ଯୋଗୁଁ ଦରଦାମ ଆକାଶଛୁଆଁ: ମାନବ ଅଧିକାର ସୁରକ୍ଷା ମଂଚ

Published: Oct 22, 2020, 9:33 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କର୍ପୋରେଟ ହାଉସ୍‌ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆକାଶଛୁଆଁ ହୋଇଥିବା ଏବଂ ଆଗକୁ ଆଉରି ପରିସ୍ଥିତି ଖରାପ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି।

ସମଗ୍ର ଦେଶରେ ପ୍ରବଳ ଜନଅସନ୍ତୋଷ ଓ ଚାଷୀ ଆନ୍ଦୋଳନ ସତ୍ତ୍ୱେ କେନ୍ଦ୍ରର ବିଜେପି ଓ ସହଯୋଗୀ ଦଳମାନେ ସଂସଦରେ କୌଣସି ଆଲୋଚନା ନକରି ଜବରଦସ୍ତ ଏକପାଖିଆ ଭାବେ କର୍ପୋରେଟ ସ୍ୱାର୍ଥରେ ଜନବିରୋଧୀ କୃଷି ବିଲ୍‌କୁ ଗୃହୀତ କରାଇଥିଲେ। କିନ୍ତୁ ଏହାର ପ୍ରଭାବରେ ଆଳୁ, ପିଆଜ, ତେଲ, ଡ଼ାଲି ଭଳି ଅତି ଆବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି। ନିମ୍ନ-ମଧ୍ୟବିତ୍ତ ପରିବାର ପକ୍ଷରେ ଖାଇବାକୁ ମୁଠାଏ ପାଇବା ଅତି ମୁସ୍କିଲ ହୋଇପଡ଼ିଛି। କରୋନାଠାରୁ ବର୍ତ୍ତମାନର ବଜାର ଦର ଲୋକଙ୍କୁ ଅଧିକ ବାଧୁଛି। କଳାବଜାରୀ ଜରୁରୀ ସାମଗ୍ରୀକୁ ମହଜୁଦ୍ ରଖିବାକୁ ପ୍ରଶାସନ ରୋକିବାରେ ବିଫଳ ହୋଇଛି। କରୋନା ନିୟନ୍ତ୍ରଣ ନାଁରେ ଫାଇନ୍ ଆଦାୟକୁ ଏକମାତ୍ର କାର୍ଯ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାର ସୁଯୋଗରେ ଅସାଧୁ ବ୍ୟବସାୟୀଙ୍କ କଳାକାରନାମା ବହୁଗୁଣରେ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ନିଜର ଭୁଲ ନିଷ୍ପତ୍ତି ଓ ବିଫଳତାକୁ ଲୁଚାଇବା ପାଇଁ କେବଳ ମାସ୍କ ପିନ୍ଧିବା, ହାତ ଧୋଇବା, ଦୂରତା ରକ୍ଷା କରିବା ପ୍ରଚାରକୁ ଅଧିକ ଶ୍ରେୟସ୍କର ମନେ କରୁଛି। ଜନତାଙ୍କ ପ୍ରତିବାଦକୁ ଦବାଇଦେବା ପାଇଁ ଯେକୌଣସି ସ୍ତରକୁ ଯିବା ପାଇଁ କେନ୍ଦ୍ରର ମୋଦି ସରକାର ପଛାଉ ନାହିଁ। କର୍ପୋରେଟର ସ୍ୱାର୍ଥ ପାଇଁ ଜନବିରୋଧୀ ପଦକ୍ଷେପ ଆଗାମୀ ଦିନରେ ଅତ୍ୟନ୍ତ ସାଙ୍ଘାତିକ ପରିସ୍ଥିତି ଆଣିବ ବୋଲି ମଂଚର ଆବାହକ ଆଇନଜୀବୀ ଅବନୀ ଗୟା ଅଭିଯୋଗ କରିଛନ୍ତି।

Related posts