ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି । ଗତ ଚାରି ମାସ ତଳେ ସୁନା ଦର ଯେତିକି ଥିଲା, ସେଥିରେ ଆଜି ସାତ ହଜାର ଟଙ୍କା କମିଯାଇଛି । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ଚାରି ହଜାର ହ୍ରାସ ପାଇଛି । ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନା ଦର 56 ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ 48 ହଜାର 900ଟଙ୍କା ହୋଇଛି ।
ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି । ଅପରପକ୍ଷରେ ରୂପା ଦର 1417 ଟଙ୍କା କମିଯାଇଛି ।
ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ଫଳରେ ଲୋକମାନେ ଷ୍ଟକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ । ଯେଉଁଥିପାଇଁ କରୋନା କାଳରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଥିଲା । କିନ୍ତୁ ଏବେ ଧିରେଧିରେ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି । ଷ୍ଟକ ବଜାରରେ ବି ନିବେଶକମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ବିବାହ, ଧନତେରସ ପାଇଁ ଲୋକମାନେ ବିପୁଳ ସୁନା କ୍ରୟ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଚାହିଦା ନଥିବାରୁ ସୁନା ଦର କମିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।