ଭାରତୀୟ ବଜାରରେ ହ୍ରାସ ପାଉଛି ସୁନା ଓ ରୂପାର ମୂଲ୍ୟ, ଜାଣନ୍ତୁ କାରଣ କ’ଣ

Published: Dec 2, 2020, 12:39 pm IST

ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି  । ଗତ ଚାରି ମାସ ତଳେ ସୁନା ଦର ଯେତିକି ଥିଲା, ସେଥିରେ ଆଜି ସାତ ହଜାର ଟଙ୍କା କମିଯାଇଛି  । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ଚାରି ହଜାର ହ୍ରାସ ପାଇଛି  । ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନା ଦର 56 ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ 48 ହଜାର 900ଟଙ୍କା ହୋଇଛି  ।

ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି  । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି  । ଅପରପକ୍ଷରେ ରୂପା ଦର 1417 ଟଙ୍କା କମିଯାଇଛି  ।

ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ଫଳରେ ଲୋକମାନେ ଷ୍ଟକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ । ଯେଉଁଥିପାଇଁ କରୋନା କାଳରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଥିଲା । କିନ୍ତୁ ଏବେ ଧିରେଧିରେ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି । ଷ୍ଟକ ବଜାରରେ ବି ନିବେଶକମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ବିବାହ, ଧନତେରସ ପାଇଁ ଲୋକମାନେ ବିପୁଳ ସୁନା କ୍ରୟ କରିବାକୁ ବାଧ୍ୟ ହୋଇଥିଲେ  । କିନ୍ତୁ ଚାହିଦା ନଥିବାରୁ ସୁନା ଦର କମିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

Related posts