ନୂଆଦିଲ୍ଲୀ: ଦୀପାବଳି ରାତିରେ ସମଗ୍ର ରାଜଧାନୀ ଦିଲ୍ଲୀ ଏକ ଘନ କୁହୁଡ଼ି ଓ ଧୂଆଁର ଆସ୍ତରଣ ତଳେ କବଳିତ ହୋଇପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଭୋର ସମୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୪ରେ ପହଞ୍ଚିବା ସହ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି। ରାଜଧାନୀର ଆଇଟିଓ ଅଞ୍ଚଳରେ ଭୋର ସମୟରେ ପ୍ରଦୂଷଣ ମାତ୍ରା ୪୦୬ ରେକର୍ଡ କରାଯାଇଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ସେହିପରି ଇନ୍ଦରଲୋକ, ରାଜୀବ ଚୌକ ଏବଂ ସାଉଥ୍ ଏକ୍ସଟେନସନ ପରି ବହୁ ଜନବହୁଳ ଅଞ୍ଚଳରେ ବାୟୁର ମାନ ଚିନ୍ତାଜନକ ସ୍ତରରେ ରହିଛି, ଯାହା ଫଳରେ ସକାଳୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଦୂଷଣର ଏହି ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ କଟକଣା ଓ ବିଶେଷ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ସହରର ବିଭିନ୍ନ ଭାଗରେ ବାୟୁ ଶୋଧନ ଓ ଧୂଳି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ, ବାୟୁ ପ୍ରଦୂଷଣକୁ ନେଇ ପ୍ରଶାସନିକ ସ୍ତରରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ରାଜନୈତିକ ବାକ୍ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି। ମନ୍ତ୍ରୀ କପିଳ ମିଶ୍ର ଅଭିଯୋଗ କରିଛନ୍ତି ଯେ, ପ୍ରଦୂଷଣ ବାହାନାରେ ପରମ୍ପରା ଓ ପାରମ୍ପରିକ ପର୍ବପର୍ବାଣିକୁ ଲକ୍ଷ୍ୟ କରାଯାଉଛି। ସେ ଦାବି କରିଛନ୍ତି ଯେ ଏହା ପଛରେ ଏକ ନିର୍ଦ୍ଦିଷ୍ଟ ଅଭିଯାନ ସୃଷ୍ଟି କରାଯାଉଛି। ବାୟୁମଣ୍ଡଳର ଏହି ସଙ୍କଟଜନକ ପରିସ୍ଥିତିକୁ ନେଇ ଏବେ ସାଧାରଣ ନାଗରିକଙ୍କ ସ୍ବାସ୍ଥ୍ୟକୁ ନେଇ ଗମ୍ଭୀର ଆଶଙ୍କା ସୃଷ୍ଟି ହୋଇଛି।


