
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେଲା ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି। ଅଧିକ ମାତ୍ରାରେ ଲୁଟେରାମାନେ ବଡ଼ ବଡ଼ ଦୋକାନକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ମଧ୍ୟରେ ଦୁଇଦୁଇଟି ବଡ଼ ବଡ଼ ସୁନା ଦୋକାନକୁ ଲୁଟ୍ କରିବା ଏହି ଘଟଣାକୁ ସ୍ପଷ୍ଟ ପ୍ରମାଣିତ କରିଦେଉଛି। କରୋନା କଟକଣା ସମୟରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ଚୋରମାନେ ସକ୍ରିୟ ନଥିଲେ। ବର୍ତ୍ତମାନ କରୋନା କଟକଣା ହ୍ରାସ ପାଇଥିବାରୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନାହିଁ। ତେଣୁ ଲୁଟେରାମାନେ ନିର୍ଭୟରେ ଚୋରି କରୁଛନ୍ତି।
ଗତକାଲି ଲୁଟେରାଙ୍କ ଟାର୍ଗେଟ୍ରେ ଖୋଡ଼ାସିଂ ଅଂଚଳର ଭେସ୍ପା ସୋ ରୁମ୍ ଥିବାବେଳେ ସେମାନେ ତାଲା ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଂ ଅଂଚଳରେ ଥିବା ଭେସ୍ପା ରେ ଲୁଟେରାମାନେ ଶନିବାର ବିଳମ୍ବିତ ରାତ୍ରିରେ ସୋ ରୁମ୍ର ପଛପଟ କବାଟ ତାଲା ଭାଙ୍ଗି ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। କ୍ୟାସ କାଉଣ୍ଟରରେ ଥିବା ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଆଜି ସୋ ରୁମ୍ ମାଲିକ ପାର୍ଥ ପାଢ଼ୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି।
ଖବରପାଇଁ ବୈଦ୍ୟନାଥପୁର ପୋଲିସ୍ ଅଧିକାରୀ ସାରଦା ପ୍ରସନ୍ନ ଦାସ, ଟାଉନ୍ ଏସ୍ଡ଼ପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନା କେସ ନଂ ୨୯୯/୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିବାବେଳେ ବାରମ୍ବାର ଏଭଳି ଚୋରି ପୋଲିସ୍ର ମୁଣ୍ଡବ୍ୟଥାର କାରଣ ସାଜିଛି।