Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡଧରଣର ଡକାୟତି: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟ୍ ଅଭିଯୋଗ

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ।

ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ।

ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ଛାନଭିନ କରୁଥିବା ବେଳେ ଦୁର୍ବୁର୍ତ୍ତମାନଙ୍କର ପତ୍ତା ମିଳିପାରିନାହିଁ। ତେବେ ଶାଳିଆଡ୍ୟାମ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାତ୍ରି ସମୟରେ ଲୋକଙ୍କ ଯାତାୟତ ବହୁ କମଥାଏ। ଫାଇନାନ୍ସ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ଉକ୍ତ ରାସ୍ତା ଦେଇ ଫେରିବାକୁ ସାଧାରଣ ଲୋକ ନାପସନ୍ଦ କରିବା ସହ ଉକ୍ତ ଘଟଣା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇନାନ୍ସ କର୍ମଚାରୀ ମାନଙ୍କର ଏହିଭଳି ବେପରୁଆ କାର୍ଯ୍ୟହେତୁ ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ଅଡୁଆ ପରିସ୍ଥିତିରେ ପଡୁଛି। ତେବେ ଏହାର ତଦନ୍ତ ପରେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଞ୍ଚଳିକ

ବାଣପୁରରେ ବଡ଼ ଧରଣର ଚୋରୀ: ଲକ୍ଷାଧିକ ମୂଲ୍ୟର ଅଳଙ୍କାର ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଲହଙ୍ଗାଡିହ ଗ୍ରାମର ବଳଭଦ୍ର ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଏତଲା ଦେଲାପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ବଳଭଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅଙ୍କ ବିବାହଘର ନିକଟତର ଥିବା ବେଳେ ଏଥିଲାଗି ସେ ସୁନା ଅଳଙ୍କାର ଏବଂ ନକଦ ଟଙ୍କା ଘରେ ଏକ ବାକ୍ସରେ ସାଇତି ରଖିଥିଲେ।  ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଲୁଟେରା ମାନେ ତାଙ୍କ ଘର ପଛପଟ ରାସ୍ତାଦେଇ ପ୍ରବେଶ କରି ଉକ୍ତ ଅଳଙ୍କାର ଓ ନକଦ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଆଜି ସକାଳେ ଜାଣିବା ପରେ ବଳଭଦ୍ର ଥାନାରେ ଏତଲା ଦେଇଥିଲେ।

ତେବେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ସମୁଦାୟ ୧୨ ଲକ୍ଷ ଟଙ୍କାର ଚୋରି ହୋଇଥିବା ବଳଭଦ୍ର ଏତଲାରେ ଦର୍ଶାଇଥିବା ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା କହିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଆଇଆଇସି ଙ୍କ ସମେତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଁଞ୍ଚ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ବଡ଼ ଡକାୟତି: ଇଡି ଅଧିକାରୀ କହି ଘରୁ ଲୁଟିଲେ ୩ କୋଟି ୨୦ ଲକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶନିବାର ସକାଳେ ବାବା ହରିଦାସ ନଗର ଅଞ୍ଚଳରେ ଏକ ବଡ଼ ଡକାୟତି ହୋଇଛି। କୁହାଯାଉଛି ଯେ ଇଡି ଅଧିକାରୀ ଭାବରେ ଛଅଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଘରେ ପ୍ରବେଶ କରିଥିଲେ। ଏହା ପରେ ସେମାନେ ୩ କୋଟି ୨୦ ଲକ୍ଷ ଟଙ୍କା ନଗଦ ଘରୁ ନେଇ ଫେରାର ହୋଇଯାଇଥିଲେ।

ଏହି ଡକାୟତି ପରେ ପୀଡିତା ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ PCR ଭ୍ୟାନ୍ ନରେଲାରେ ଏକ କାରକୁ ଧରି ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କରିଥିଲା।

ଏହି ମାମଲାରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି।

Categories
ଆଞ୍ଚଳିକ

ବାଲୁଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।

ଦିଲ୍ଲୀପ ବାଣପୁର ପାରିନୁଆଗାଁ ଅଞ୍ଚଳରେ ଦୀର୍ଘ ଦିନ ହେବ ରହିଆସୁଥିବା ବେଳେ ସେ ଦିନ ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ ଏବଂ ରାତିରେ ଚୋରି କରୁଥିଲେ। ତେବେ ଅଭିଯୁକ୍ତ ଦିଲ୍ଲୀପ ପୁର୍ବରୁ ଖଲ୍ଲିକୋଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅଞ୍ଚଳର ଚାରି ଗୋଟି ଚୋରି ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଲେକସନ ଏଜେଣ୍ଟଠାରୁ ଟଙ୍କା ଲୁଟ୍ ଘଟଣା: ୨ ଗିରଫ

ହେମାଙ୍ଗ ପ୍ରାସାଦ ରାଉଳ
ବ୍ରହ୍ମପୁର: ତଳଦିନେ ଜନୈକ ଅନ୍ନପୂର୍ଣ୍ଣା ଫାଇନାନସ, ଭଂଜନଗରର କଲେକସନ ଏଜେଣ୍ଟଠାରୁ ଟଙ୍କା ଲୁଟ୍ ଘଟଣାରେ ତାରସିଂ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଢ଼ଁଗା ଥାନା ଅଂଚଳର ରାହୁଲ ନାୟକ ଏବଂ ଫକିର ପ୍ରଧାନ। ଘଟଣାରୁ ପ୍ରକାଶ ଯେ ଉଭୟ ଅଭିଯକ୍ତ ଫାଇନାନସ୍ କର୍ମଚାରୀ ଯାଉଥିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ତାଙ୍କ ନିକଟରୁ ୧ ଲକ୍ଷ ୫ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଉଭୟଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାଲା ଭାଙ୍ଗି ଭେସ୍ପା ସୋ ରୁମ୍‌ରୁ ୩ ଲକ୍ଷ ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେଲା ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି। ଅଧିକ ମାତ୍ରାରେ ଲୁଟେରାମାନେ ବଡ଼ ବଡ଼ ଦୋକାନକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ମଧ୍ୟରେ ଦୁଇଦୁଇଟି ବଡ଼ ବଡ଼ ସୁନା ଦୋକାନକୁ ଲୁଟ୍ କରିବା ଏହି ଘଟଣାକୁ ସ୍ପଷ୍ଟ ପ୍ରମାଣିତ କରିଦେଉଛି। କରୋନା କଟକଣା ସମୟରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ଚୋରମାନେ ସକ୍ରିୟ ନଥିଲେ। ବର୍ତ୍ତମାନ କରୋନା କଟକଣା ହ୍ରାସ ପାଇଥିବାରୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନାହିଁ। ତେଣୁ ଲୁଟେରାମାନେ ନିର୍ଭୟରେ ଚୋରି କରୁଛନ୍ତି।

ଗତକାଲି ଲୁଟେରାଙ୍କ ଟାର୍ଗେଟ୍‌ରେ ଖୋଡ଼ାସିଂ ଅଂଚଳର ଭେସ୍ପା ସୋ ରୁମ୍ ଥିବାବେଳେ ସେମାନେ ତାଲା ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଂ ଅଂଚଳରେ ଥିବା ଭେସ୍ପା ରେ ଲୁଟେରାମାନେ ଶନିବାର ବିଳମ୍ବିତ ରାତ୍ରିରେ ସୋ ରୁମ୍‌ର ପଛପଟ କବାଟ ତାଲା ଭାଙ୍ଗି ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। କ୍ୟାସ କାଉଣ୍ଟରରେ ଥିବା ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଆଜି ସୋ ରୁମ୍ ମାଲିକ ପାର୍ଥ ପାଢ଼ୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି।

ଖବରପାଇଁ ବୈଦ୍ୟନାଥପୁର ପୋଲିସ୍ ଅଧିକାରୀ ସାରଦା ପ୍ରସନ୍ନ ଦାସ, ଟାଉନ୍ ଏସ୍‌ଡ଼ପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନା କେସ ନଂ ୨୯୯/୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିବାବେଳେ ବାରମ୍ବାର ଏଭଳି ଚୋରି ପୋଲିସ୍‌ର ମୁଣ୍ଡବ୍ୟଥାର କାରଣ ସାଜିଛି।

Categories
ଆଜିର ଖବର ରାଜ୍ୟ ଖବର

ଧରାପଡ଼ିଲେ ଡ଼କାୟତି ଦଳ: ୩ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ତଥା ରମ୍ଭା ଅଂଚଳରେ ଗତ କିଛି ଦିନ ହେଲା ଘରୁ ଡ଼କାୟତି ଖବର ବଢ଼ି ଚାଲିଥିଲା। ପ୍ରତ୍ୟେକ ଦିନ ଏହି ଅଂଚଳର ବିଭିନ୍ନ ସ୍ଥାନରୁ ଘରର କବାଟ ଭାଙ୍ଗି ଘର ଆସବାବ ପତ୍ର ଏବଂ ଅନ୍ୟାନ୍ୟ ଉପକରଣ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହିଭଳି ଏକ ର‌୍ୟାକେଟ୍‌କୁ ଧରିବାରେ ଆଜି ରମ୍ଭା ପୋଲିସ୍ ସଫଳ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥାନାଧିକାରୀ ସୂଚନା ଦେଇଥିଲେ।

ଘଟଣାରୁ ପ୍ରକାଶ ଯେ ରମ୍ଭା ଥାନା ଅଂଚଳରେ ଗତ କିଛି ଦିନ ମଧ୍ୟରେ ୧୧ଟି ଡ଼କାୟତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ଅନୁସନ୍ଧାନ କରି ରମ୍ଭା ପୋଲିସ୍ ୩ ଜଣ ଲୁଟେରା ଥିବା ଗ୍ୟାଙ୍ଗକୁ ଧରିବା ସହ ସେମାନେ ଚୋରି କରିଥିବା ଏଲ୍‌ଇଡ଼ି ଟିଭି, ଇଣ୍ଡକ୍‌ସନ ୱାଟର ହିଟର୍‌, କଟର, ଇନ୍‌ଭର୍ଟର, ବ୍ୟାଟେରି, ସିଟି ସିଭି, ଡ଼ିଭିଆର୍ ମେସିନ୍‌, ଟାଟା ସ୍କାଏ, ଗ୍ରାଇଣ୍ଡର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦିନ ଦ୍ବିପ୍ରହରରେ ବାଣପୁର ସହରରୁ ବଡ ଧରଣର ଡକାୟତି: ପୋଲିସକୁ ଖୋଲା ଚ୍ୟାଲେଞ୍ଜ

ସୀତରାମ ଅଗ୍ରଓ୍ବାଲ

ବାଣପୁର: ଆଜି ଦିନ ଦ୍ବିପହରରେ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଣପୁର ସହରରୁ ଏକ ବଡ ଧରଣର ଡକାୟତି ହୋଇଛି। ଦୁଇ ଜଣ ଡକାୟତ ଲୁଟି ନେଇଛନ୍ତି ଦେଢ଼ ଲକ୍ଷ ଟଙ୍କା ଓ ବହୁ ମୂଲ୍ୟବାନ ଜିନିଷ।

ମିଳିଥିବା ସୂଚନା ଅନୁସାରେ ଆଜି ଆଜି ମଧ୍ୟାହ୍ନ ପାଖାପାଖି ୧୨.୩୦ ମିନିଟରେ ବାଣପୁର ଥାନା କୁମାରାଙ୍ଗ ଗ୍ରାମ ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ର  ପୂର୍ବତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ସତ୍ୟବାଦୀ ମହାପାତ୍ର(୮୭) ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଙ୍କ ସହ ଏକ ଅଟୋ ରେ ବାଣପୁର ସ୍ଥିତ ୟୁକୋ ବ୍ୟାଙ୍କକୁ ଯାଇ  ନିଜର ପେନସନ ପଇସା ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏହାପରେ ସମ୍ପୃକ୍ତ ଟଙ୍କା, ଦୁଇ ଗୋଟି ମୋବଇଲ, ପେନସନ ବହି, ବିଭିନ୍ନ ବ୍ୟାଙ୍କ ପାସ ବୁକ, ଇନକମ ଟାକ୍ସ କାଗଜ, ଚେକ ବହି, ଏ.ଟି.ଏମ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଏକ କଳା ବ୍ୟାଗ ରେ ରଖି ତାକୁ ନେଇ ବାଣପୁର ଷ୍ଟେଟ ବ୍ୟାଙ୍କ କୁ ଯାଇଥିଲେ। ଷ୍ଟେଟ ବ୍ୟାଙ୍କରୁ କାମ ସାରି ତଳସାହି ସ୍ଥିତ ଏକ ରାସନ ଦୋକାନକୁ ସଉଦା କିଣିବା ପାଇଁ ଯାଇଥିଲେ।

ସେହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ମୁହଁରେ କଳା ପଟି ବାନ୍ଧି ସମ୍ପୃକ୍ତ ରାସନ ଦୋକାନ ର ବାରଣ୍ଡା ଉପରକୁ ଆସିଥିଲେ। କିଛି ସମୟ ସେଠାରେ ଠିଆ ହୋଇ ସଉଦା କିଣିବାର ମିଛ ବାହାନା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଟଙ୍କା ବ୍ୟାଗ ଧରିଥିବା ସତ୍ୟବାଦୀଙ୍କ ସାନ ଝିଅଙ୍କ ପଛପଟ କାନ୍ଧରେ କିଛି ତରଳ ଜାତୀୟ ପଦାର୍ଥ ଫୋପାଡ଼ିଥିଲେ। ଏହାପରେ ଦୁଇ ଜଣଙ୍କ ଭିତରୁ ଜଣେ ଦୁର୍ବୁତ୍ତ ସତ୍ୟବାଦୀ ଙ୍କ ଝିଅଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।ଫଳରେ ତାଙ୍କ ସାନ ଝିଅ ଉକ୍ତ ଟଙ୍କା ବ୍ୟାଗ କୁ ତାଙ୍କ ମା ତଥା ସତ୍ୟବାଦୀ ଙ୍କ ସ୍ତ୍ରୀ ସୁଲୋଚନା ଦେବୀଙ୍କୁ ଦେଇ ନିକଟସ୍ଥ ନଳକୂପ ରେ ହାତ ଧୋଇବାକୁ ତତ୍ପର ହେବା ସମୟରେ ଜଣେ ଦୁର୍ବୁତ୍ତ ସୁଲୋଚନାଙ୍କୁ ଜୋରରେ ଧକା ଦେଇଥିଲେ ଏବଂ ସୁଲୋଚନା ତଳେ ପଡିଯାଇଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ଆଖି ପିଛୁଳାକେ ଦୁଇ ଦୁର୍ବୁତ୍ତ ଏକ ପଲସର ମଟରସାଇକେଲ ରେ ଫେରାର ହୋଇଯାଇଥିଲେ।

ଦୁଇ ଦୁର୍ବୁତ୍ତ ଙ୍କ ମଧ୍ୟରୁ ଜଣେ ନିଜର ଚପଲ ହଳ ଏବଂ ହେଲମେଟ ଉକ୍ତ ରାସନ ଦୋକାନରେ ଛାଡି ଦେଇଥିବାର ସୂଚନା ଅଛି। ଏହି ଘଟଣା ପରେ ସଙ୍ଗେ ସଙ୍ଗେ ସତ୍ୟବାଦୀ ବାଣପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଥାନାଧିକାରୀ ଙ୍କୁ ଶୀଘ୍ର ଡକାୟତ ଙ୍କୁ ଧରିବା ପାଇଁ ଅଶ୍ରୁଳ ନୟନରେ ନିବେଦନ କରିଛନ୍ତି।

ତେବେ ଅଳ୍ପ ମାସ ବ୍ୟବଧାନ ପରେ ପୁଣି ବାଣପୁରରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି।  ଘଟଣା ଟି ବାଣପୁର ଥାନାରୁ ମାତ୍ର ୨୦୦ ମିଟର ରେ ଘଟିଥିବାରୁ ଡକାୟତ ମାନଙ୍କ ତରଫରୁ ପୋଲିସ ପାଇଁ ଏହା ଏକ ଖୋଲା ଚାଲେଞ୍ଜ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।  ହେଲେ ଅଭିଯୋଗ ମିଳିବା କ୍ଷଣି ବାଣପୁର ପୋଲିସ ଘଟଣାର  ତଦନ୍ତରେ ଲାଗିପଡ଼ିଛି। ସହରର ବିଭିନ୍ନ ଦୋକାନର ସିସିଟିଭି ଯାଞ୍ଚ କରିବା ସହ ସବୁ ପ୍ରବେଶ ପଥରେ ଯାଇ ସର୍ଚ୍ଚ ଅପେରସନ ଜାରି ରଖିଛି।