ବାଣପୁରରେ ବଡ଼ ଧରଣର ଚୋରୀ: ଲକ୍ଷାଧିକ ମୂଲ୍ୟର ଅଳଙ୍କାର ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published: Dec 9, 2023, 5:01 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଲହଙ୍ଗାଡିହ ଗ୍ରାମର ବଳଭଦ୍ର ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଏତଲା ଦେଲାପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ବଳଭଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅଙ୍କ ବିବାହଘର ନିକଟତର ଥିବା ବେଳେ ଏଥିଲାଗି ସେ ସୁନା ଅଳଙ୍କାର ଏବଂ ନକଦ ଟଙ୍କା ଘରେ ଏକ ବାକ୍ସରେ ସାଇତି ରଖିଥିଲେ।  ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଲୁଟେରା ମାନେ ତାଙ୍କ ଘର ପଛପଟ ରାସ୍ତାଦେଇ ପ୍ରବେଶ କରି ଉକ୍ତ ଅଳଙ୍କାର ଓ ନକଦ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଆଜି ସକାଳେ ଜାଣିବା ପରେ ବଳଭଦ୍ର ଥାନାରେ ଏତଲା ଦେଇଥିଲେ।

ତେବେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ସମୁଦାୟ ୧୨ ଲକ୍ଷ ଟଙ୍କାର ଚୋରି ହୋଇଥିବା ବଳଭଦ୍ର ଏତଲାରେ ଦର୍ଶାଇଥିବା ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା କହିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଆଇଆଇସି ଙ୍କ ସମେତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଁଞ୍ଚ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛନ୍ତି।

Related posts