ବିଜାପୁର : ଛତିଶଗଡ଼ରର ବିଜାପୁର ଜିଲ୍ଲା ଭୈରମଗଡ଼ ଥାନା ଅଞ୍ଚଳର ଇନ୍ଦ୍ରାବତୀ ନଦୀ ନିକଟସ୍ଥ ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ମାଟିତଳେ ଲୁଚାଇ ରଖାଯାଇଥିବା ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଛି। ଜବତ ସୁନା ଓ ଟଙ୍କାର ମୋଟ ଆନୁମାନିକ ମୂଲ୍ୟ ୪ କୋଟି ୫୩ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ପୁଲିସ ସୂଚନା ଅନୁଯାୟୀ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଡମ୍ପ ଲୁଚାଇ ରଖାଯାଇଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ମାର୍ଗଦର୍ଶନ ଏବଂ ଅତିରିକ୍ତ ପୁଲିସ ଅଧୀକ୍ଷକ (ଅପରେସନ୍) ରବୀନ୍ଦ୍ର କୁମାର ମୀଣାଙ୍କ ନେତୃତ୍ୱରେ ଡିଆରଜି, ଭୈରମଗଡ଼ ଥାନା ପୁଲିସ ଓ ବିଡିଏସ୍ର ମିଳିତ ଟିମ୍ ଜଙ୍ଗଲରେ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ତଲାସି ସମୟରେ ମାଟିତଳେ ପୋତି ରଖାଯାଇଥିବା ଏକ ଷ୍ଟିଲ୍ ଡବା ଉଦ୍ଧାର ହୋଇଥିଲା। ଡବା ଭିତରୁ ୩୩ଟି ସୁନା ବିସ୍କୁଟ ମିଳିଥିଲା। ଏହାର ମୋଟ ଓଜନ ପ୍ରାୟ ୩.୮୪ କିଲୋଗ୍ରାମ ହୋଇଥିବା ବେଳେ ସୁନାର ଆନୁମାନିକ ମୂଲ୍ୟ ୪ କୋଟି ୨୯ ଲକ୍ଷ ଟଙ୍କା ରହିଛି। ଏହା ସହିତ ୫୦୦ ଟଙ୍କିଆ ନୋଟ୍ରେ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ବିଜାପୁର ଜିଲ୍ଲାରେ ଲଗାତାର ନକ୍ସଲ ବିରୋଧୀ ଅଭିଯାନ ଜରିଆରେ ବିଭିନ୍ନ ମାଓବାଦୀ ଡମ୍ପରୁ ଏପର୍ଯ୍ୟନ୍ତ ମୋଟ ୧୨.୩୪ କିଲୋଗ୍ରାମ ସୁନା ଏବଂ ୮ କୋଟି ୨୪ ଲକ୍ଷ ୩୩ ହଜାର ୩୦୦ ଟଙ୍କା ନଗଦ ଜବତ କରାଯାଇଛି।


