ବାଲୁଗାଁ ଅଞ୍ଚଳରେ ସମାନ ଢଙ୍ଗରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ

Published: Jun 25, 2023, 8:28 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।

ଦିଲ୍ଲୀପ ବାଣପୁର ପାରିନୁଆଗାଁ ଅଞ୍ଚଳରେ ଦୀର୍ଘ ଦିନ ହେବ ରହିଆସୁଥିବା ବେଳେ ସେ ଦିନ ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ ଏବଂ ରାତିରେ ଚୋରି କରୁଥିଲେ। ତେବେ ଅଭିଯୁକ୍ତ ଦିଲ୍ଲୀପ ପୁର୍ବରୁ ଖଲ୍ଲିକୋଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅଞ୍ଚଳର ଚାରି ଗୋଟି ଚୋରି ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି।

Related posts