ନକଲି ଲୁବ୍ରିକାଣ୍ଟ କାରଖାନା ଠାବ: ୧ ଗିରଫ, ବିପୁଳ ନକଲି ସାମଗ୍ରୀ ଜବତ

Published: Dec 20, 2020, 9:52 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ କଟକ ଅଂଚଳର ରାଜ୍ୟର ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଗଂଜାମ ଜିଲ୍ଲା ମଧ୍ୟ ଏହାର ପଛରେ ରହିଛି। ନକଲି ଗୁଟ୍‌ଖା, ନକଲି ମଦ, ନକଲି ମସଲା, ନକଲି ଘିଅ ଇତ୍ୟାଦି କେଉଁଠି ନା କେଉଁଠି ଲୁଚାଛପା ତିଆରି ହେଉଥିବା ନେଇ ବହୁବାର ଅଭିଯୋଗ ହେଉଛି। ପୂର୍ବରୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ଏବଂ ମଦ ଜବତ ହୋଇଥିବାବେଳେ ଆଜି ନକଲି ଲୁବ୍ରିକାଣ୍ଟ କାରଖାନାକୁ ଟାଉନ୍ ଥାନା ଠାବ କରି ଜଣକୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ସହରରେ ନକଲି ଲୁବ୍ରିକାଣ୍ଟ କାରଖାନା ଚାଲିଥିବା ନେଇ ଅଭିଯୋଗ ହେଉଥିବାବେଳେ ଆଜି କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍‌ଥାନା ପୋଲିସ୍ ଏକ ସୁଇଫ୍ଟ ଡ଼ିଜାଇର୍ (ଓଡ଼ି ୦୭ ଡ଼ବ୍ଲ୍ୟୁ ୭୯୬୯)କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ି ଡ଼ିକିରୁ ପେଟିରେ ଭର୍ତ୍ତି ହୋଇଥିବା ୨୦୦ ଲିଟର ନକଲି ଲୁବ୍ରିକାଣ୍ଟ ଜବତ ହୋଇଥିଲା। ପୋଲିସ୍ ଗାଡ଼ି ମାଲିକ ତଥା ଡ଼୍ରାଇଭର ମହମ୍ମଦ ଇଜାଜକୁ ଧରିଥିବାବେଳେ ପଚାରାଉଚରା ପରେ ନିଳାଦ୍ରୀ ବିହରରେ ଥିବା ଏକ କାରଖାନା ଠାବ ହୋଇଥିଲା।

କାରଖାନାରେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ ଏବଂ ଲୁବ୍ରିକାଣ୍ଟ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିଲା। ଏଠାରୁ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହୋଇ ବିଭିନ୍ନ ସ୍ଥାନରୁ ପଠାଯାଉଥିଲା। କାରଖାନାରେ ବିଭିନ୍ନ ଦାମିନାମୀ କଂପାନୀର ଖାଲି ବୋତଲ, ସିଲ୍‌, ନକଲି ଅଏଲ୍ ସମେତ ପେକିଂ ହୋଇ ପ୍ରସ୍ତୁତ ହୋଇଥିବା ପ୍ରାୟ ୧ହଜାର ଲିଟର ନକଲି ଲୁବ୍ରିକାଣ୍ଟ ମଧ୍ୟ ରହିଥିଲା। ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ପାଇଁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା ବାହାରେ ୩୦୦ ଟଙ୍କାରେ ବ୍ୟବହୃତ ହେଉଥିବାବେଳେ ଏଥିରେ ବହୁ ବ୍ୟକ୍ତି ସାମିଲ ଥିବା ପୋଲିସ୍ ଅନୁମାନ କରୁଛି।

Related posts