ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର: ବାଣପୁର ମେଡିକାଲରେ ଭର୍ତ୍ତି

Published: Jan 25, 2021, 11:14 am IST

ସୀତାରାମ ଅଗ୍ରୱାଲ

ବାଣପୁର: ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତିହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଯଯାତି ପାତ୍ର ଏବଂ ବଡ଼ ଭାଇ ସଂଗ୍ରାମ ପାତ୍ର ସପରିବାରେ ବାସ କରନ୍ତି। ତେବେ ପରିବାର ଚଳାଇବାକୁ ଦୀର୍ଘବର୍ଷ ପୂର୍ବେ ପରିବାରବାସି ବିଭିନ୍ନ ଜାଗାରୁ କରଜ ଆଣିଥିଲେ। ଗତ ଏକବର୍ଷ ତଳେ ଯଯାତିଙ୍କ ବଡ଼ ଭାଇ ସଂଗ୍ରାମ କରଜ ଶୁଝିବା ପାଇଁ ଅମଙ୍ଗ ହେବା ସହ ଘର ସମ୍ପତିରୁ ମଧ୍ୟ କିଛି ଭାଗ ନେବେ ନାହିଁ ବୋଲି କହି ଘର ଛାଡି ଅନ୍ୟତ୍ର ରହିଆସୁଥିଲେ। ଗତକାଲି ପୁଣି ସେ ନିଜ ଘରକୁ ଫେରି ସମ୍ପତିରୁ ଭାଗ ନେବାପାଇଁ ଦାବି କରିଥିଲେ ଏବଂ ଏନେଇ ଗ୍ରାମରେ ବୈଠକ ମଧ୍ୟ ବସିଥିଲା।

ବୈଠକରେ କିଛି ନିଷ୍ପତି ଆସିବା ପୂର୍ବରୁ ଆଜି ସକାଳେ ଯଯାତି ଘରେ ଥିବା ବେଳେ ହଠାତ ସଂଗ୍ରାମ ଏକ କାତି ଦ୍ୱାରା ସାନ ଭାଇ ଯଯାତିଙ୍କ ମସ୍ତିଷ୍କକୁ ଏକାଧିକ ଚୋଟ ପକାଇଥିଲେ।  ଫଳରେ ସଂଗ୍ରାମଙ୍କ ବାମ କାନ ଅଧା କଟିଯିବା ସହ ମସ୍ତିଷ୍କରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଯଯାତିଙ୍କୁ ବାଣପୁର ମେଡିକାଲ ନେଇ ଯାଇଥିବାସ୍ଥଳେ ବର୍ତ୍ତମାନ ତାଙ୍କ ମୁଣ୍ଡରେ ଛଅ ଗୋଟି ସିଲେଇ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ଭୁବେନେଶ୍ୱର ସ୍ଥାନାନ୍ତର କରିବା ପାଇଁ ପରିବାର ବର୍ଗ ଉଦ୍ୟତ ହେଉଥିବାର ଦେଖିବାକୁ ମିଳିଛି। ତେବେ ଏ ନେଇ ଯଯାତିଙ୍କ ପତ୍ନୀ ପୁଷ୍ପଲତା ପାତ୍ର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Related posts