ନାବାଳିକାର ତଣ୍ଟି କାଟିବା ଘଟଣା: ଗଣଦୁଷ୍କର୍ମ ପରେ କରାଯାଇଥିଲା ହତ୍ୟା ଉଦ୍ୟମ

Published: Jan 31, 2021, 2:25 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜନୈକ ୮ ବର୍ଷର ନାବାଳିକା ଝିଅକୁ ଦୁଇଜଣ ଯୁବକ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିବାବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇବା ପରେ ଥାନାରେ ଜିମା ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମ ଓଡ଼ିଆର୍‌ପି କଲୋନୀରେ ଘଟିଥିଲା।

ତେବେ ଏହାକୁ ନେଇ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା। ଆଜି ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି। ବ୍ରହ୍ମପୁର ଅତିରିକ୍ତ ଏସପି ଏନେଇ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ବଳପୂର୍ବକ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ପ୍ରତିବାଦ କରିବାରୁ ନିର୍ମମ ଭାବରେ ପିଟିଥିଲେ ଏବଂ ଭଙ୍ଗା ଇଟାରେ ମୁଣ୍ଡ ଓ କାନକୁ ଆଘାତ ଦେଇଥିଲେ। ଅଭିଯୁକ୍ତଙ୍କ ନାମରେ ପୋସ୍କୋ ଆକ୍ଟରେ ୩୬୫, ୩୬୬, ୩୭୬ ଡିବି, ୩୦୭, ୩୪ ଆଇପିସି ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ,  ବୁଦ୍ଧିଆ ବେହେରାଙ୍କ ନାବାଳିକା ଝିଅ ଘରେ ଏକୁଟିଆ ରହିଥିବାବେଳେ ଦୁଇ ଯୁବକ ଘର ମଧ୍ୟରେ ପଶି ନାବାଳିକାଟିର ତଣ୍ଟିକୁ କାଟି ଦେଇଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Related posts