
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଆଜି ସକାଳ ୭ ଘଟିକାରୁ ଅପରାହ୍ନ ୨ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା।
ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୧୬ ଟି ଭାଟିରୁ ପାଖାପାଖି ୮ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଦିଆଯାଇଛି।
ଉକ୍ତ ଚଢାଉରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଭୁବନେଶ୍ବର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ, ବାଣପୁର ଥାନା ଏସଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ଏଏସଆଇ ଶ୍ରୀନିବାସ ପ୍ରଧାନ ସମେତ ତିନି ପ୍ଲାଟୁନ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।