ବାଉଁଶିଆ ଗ୍ରାମରୁ ମାସେ ଭିତରେ ଚାରି ଥର ଚୋରି: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଅସନ୍ତୋଷ

Published: Feb 16, 2021, 2:48 pm IST

ନୟାଗଡ/ଶରଣକୁଳ: ଏକ ମାସ ଭିତରେ ଗୋଟିଏ ଗ୍ରାମରୁ ଚାରି ଥର ଚୋରି ହୋଇଛି। ଗ୍ରାମବାସୀ ଏନେଇ ପୋଲିସରେ ଅଭିଯୋଗ କରିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ବାଉଁଶିଆ ଗ୍ରାମରେ ଚୋରମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ଏକ ମାସ ଭିତରେ ସେହି ଗ୍ରାମରୁ ଚାରି ଚାରି ଥର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ପୂର୍ବରୁ ସେହି ଗ୍ରାମର ଶଙ୍କର୍ଷଣ ଦାଶ, କାବୁଲି ଆଚାର୍ଯ୍ୟ ଏବଂ ବାବୁଲି ଆଚାର୍ଯ୍ୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ବେଳେ ଗତ ରବିବାର ବିଳମ୍ବିତ ରାତ୍ରିରେ ପୁଣି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ବାଲୁଙ୍କେଶ୍ଵର ଦାଶଙ୍କ ଘର ପଛପଟ ଗ୍ରୀଲ ଭାଙ୍ଗି ଚୋରମାନେ ୧୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

ଏନେଇ ଶରଣକୁଳ ଥାନାରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଚୋରଙ୍କୁ ଧରିବାର ପୋଲିସ ସକ୍ଷମ ହୋଇପାରିନାହିଁ। ପୋଲିସ ନିଜ କର୍ତ୍ତବ୍ୟ କରିବା ଆଳରେ ସେହି ଗ୍ରାମକୁ ବୁଲିବାକୁ ଆସି ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ତେଣୁ ଗ୍ରାମର ସୁରକ୍ଷା ନିଜ ହାତରେ କହି ସେମାନେ ରାତି ସାରା ଘଣ୍ଟ ବାଡ଼େଇ ପ୍ରହରା ଦେଇ ଆସୁଥିଲେ। କିନ୍ତୁ ଗ୍ରାମରେ ରାତ୍ରି ପ୍ରହାର ଏକ ସପ୍ତାହ ହେଲା ବନ୍ଦ ହେବା ପରେ ପୁଣି ଚୋରମାନେ ସକ୍ରିୟ ହୋଇପଡିଛନ୍ତି।

ବର୍ତ୍ତମାନ ଗାଁରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀ ଏନେଇ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏପରିକି କିଛି ପରିବାର ଗାଁ ଛାଡି ଚାଲିଯିବା ପାଇଁ ଚେଷ୍ଟା କରୁଥିବା ଶୁଣିବାକୁ ମିଳୁଛି। ହେଲେ କମ ସମୟ ଭିତରେ ଗୋଟିଏ ଗ୍ରାମରୁ ଏତେ ଚୋରି ହେବା ନିଶ୍ଚୟ ଏକ ଚିନ୍ତାର ବିଷୟ ପାଲଟିଛି।

ତେବେ ପୋଲିସ କେବେ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଗାଁ ଲୋକଙ୍କୁ କେବେ ସୁରକ୍ଷା ଦେଇପାରିବ, ତାହା ଦେଖିବା ବାକି ରହିଲା।

Related posts