ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଯୁବତୀଠାରୁ ଟଙ୍କା, ଅଳଙ୍କାର ହଡ଼ପ ଅଭିଯୋଗ

Published: Mar 9, 2021, 9:29 pm IST

ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୮, ବଡ଼ବଜାର ଅଂଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧) ବାରିପଦା ପୌରପରିଷଦର ଜନୈକ ଯୁବତୀକୁ ପ୍ରଥମେ ଭଲ ପାଇ ବସିଥିଲା। ଏହାପରେ ୨୦୨୦ ଡ଼ିସେମ୍ବରଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ଉଠାଇଥିବା ୭୦ ହଜାର ଟଙ୍କା ଗ୍ରୁପ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିଲା।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନନ୍ତ କୁମାର ରଣାଙ୍କ ସମ୍ମୁଖରେ ଯୁବତୀ ଜଣକ ବିବାହ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ଅନନ୍ତ ପ୍ରଥମେ ପ୍ରଥମେ ବିବାହକୁ ଟାଳି ଆସୁଥିଲା। ମାତ୍ର ଯୁବତୀ ଜଣକ ବିବାହକୁ ନେଇ ଅଡ଼ିବସିବାରୁ ଅଭିଯୁକ୍ତ ଅନନ୍ତ ତାଙ୍କୁ କାହିଁକି ବିବାହ କରିବ ବୋଲି ପ୍ରଶ୍ନ କରିବା ସାଙ୍ଗକୁ ଅଶାଳୀନ ଓ କଟୁ ଶବ୍ଦରେ ଗାଳିଗୁଲଜ କରିଥିଲା। ଏଥି ସହିତ ଅନନ୍ତ ନିଜ ମୋବାଇଲରେ ରଖିଥିବା ଯୁବତୀର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇଥିଲା। ଏଥି ସହିତ ଯୁବତୀ କାର୍ଯ୍ୟ କରୁଥିବା କ୍ଲିନିକକୁ ଯାଇ ଯୁବତୀର ଭବିଷ୍ୟତକୁ ବରବାଦ କରିଦେବାର ଧମକ ଦେଇଥିଲା।

ଏହି ସମସ୍ତ ଘଟଣାକୁ ନେଇ ଯୁବତୀର ବାପା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୪୧, ୩୫୪, ୪୨୦, ୨୯୪, ୩୨୩, ୫୦୬, ଆର/ଡବ୍ଲ୍ୟୁ ସେକସନ ୬୬(ଡ଼ି)/୬୭ ଆଇଟି ଆକ୍ଟ ଅନୁସାରେ କେଶ ନମ୍ବର ୧୯୮/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତ ଲିପନ ଓରଫ ଅନନ୍ତ କୁମାର ରଣାଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏଥି ସହିତ ପୁଲିସ ଅନନ୍ତଙ୍କ ମୋବାଇଲ ଫୋନ, କମ୍ପ୍ୟୁଟରର ହାର୍ଡ଼ଡ଼ିସ୍କ ସହ ପିଡ଼ିତା ସହ ଯୋଡ଼ି ହୋଇଥିବା ଅନ୍ୟ କେତେକ ସ୍କ୍ରନ ସର୍ଟ ଆଦିକୁ ମଧ୍ୟ ଜବତ କରାଯାଇଛି।

Related posts