ବାଣପୁର ପୋଲିସକୁ ସଫଳତା: ୨୦ରୁ ଉର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୫ ଅଭିଯୁକ୍ତ ହେଲେ ଗିରଫ

Published: Apr 1, 2021, 7:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ମିଳିଛି ଏକ ବଡ ସଫଳତା। ଦୀର୍ଘ ୨୦ରୁ ଉର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୨ ଜଣ ଏବଂ ୩୦ରୁ ଊର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ। ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଦୀର୍ଘ ଦିନ ହେବ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ।

ତେବେ ଗତ ତିନି ଦିନ ମଧ୍ୟରେ  ସମସ୍ତ ପାଞ୍ଚ ଜଣ ଏନବିଡବ୍ଲୁ ୱାରେଣ୍ଟ କୁ ଧରିବାରେ ସଫଳ ହୋଇଛନ୍ତି ବାଣପୁର ଆଇଆଇସି ଏବଂ ଟିମ। ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ  ଜଣେ ୨୩ ବର୍ଷ ହେଲା ଫେରାର ଥିବାବେଳେ ଜଣେ ୨୭ ବର୍ଷ, ଜଣେ ୩୦ ବର୍ଷ ଏବଂ ଆଉ ଦୁଇ ଜଣ ୩୧ ବର୍ଷ ଧରି ଫେରାର ଥିଲେ। ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts