ଚିଲିକା ଦୋଳ ଉତ୍ସବକୁ ଦୃଷ୍ଟିରେ ରଖି ଆକ୍ସନ ମୁଡ଼ରେ ପୋଲିସ ଓ ଅବକାରୀ: ବନ୍ଧାହେଲେ ଚାରି ମଦବେପାରୀ

Published: Apr 2, 2021, 3:14 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ଚୋରା ଦେଶୀ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ନାଚୁଣୀ ଫାଣ୍ଡି ପୋଲିସ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଦ୍ଵାରା ଚିଲିକା ବ୍ଲକର ନଇରୀ ଏବଂ ବଉଳାବନ୍ଧ ଗ୍ରାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସକାଳ ୭ ଘଟିକାରୁ ପାଖାପାଖି ୨ ଘଣ୍ଟା ଯାଏଁ ଚଢ଼ାଉ ଜାରି ରହିଥିଲା। ଉକ୍ତ ଧରପଗଡ଼ ଅଭିଯାନରେ ୨ ଜଣ ମହିଳାଙ୍କୁ ମିଶାଇ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଶିବୁ ସ୍ୱାଇଁ, ସୁକାନ୍ତି ବେହେରା, ବିନତି ବେହେରା ଏବଂ ପ୍ରମୋଦ ସାହୁ। ସମସ୍ତେ ଚୋରାରେ ଦେଶୀ ମଦ ବିକୁଥିଲେ। ସେମାନଙ୍କଠାରୁ ସମୁଦାୟ ୯୬ ଲିଟର ଦେଶୀ ମଦ ଜବତ ହୋଇଛି।

ତେବେ ଗିରଫ ହୋଇଥିବା ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ କେସ୍ ନମ୍ବର ୧,୨,୩ ଏବଂ ବାଣପୁର ଥାନା କେସ ନମ୍ବର ୧୨୦ ରେ ଚାରି ଗୋଟି ମାମଲା ରୁଜୁ କରାଯାଇ ଆଜି ବାଣପୁର କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଇରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଗତକାଲି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯାତ୍ରା ଶେଷ ହେବା ଯାଏଁ ସମ୍ପୃକ୍ତ ଅଞ୍ଚଳରେ ଦେଶୀ ମଦ ଚଢ଼ାଉ ଅଭିଯାନ ଜାରି ରଖିବେ ବୋଲି ସୂଚନା ଦେଇଥିଲେ। ଯାହା ଫଳରେ ଶ୍ରୀ ସାହୁ ଉକ୍ତ ଅଭିଯାନକୁ ଆଜିଠାରୁ ଆରମ୍ଭ କରିଦେଇଛନ୍ତି।

ତେବେ ଯାତ୍ରା ପୂର୍ବରୁ ପୋଲିସ ଓ ଅବକାରୀ ବିଭାଗର ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ଦିଗରୁ ପ୍ରଶଂସା କରାଯାଇଛି।

Related posts