
ନୟାଗଡ/ଚାନ୍ଦପୁର: ପୁଣି ଏକ ସାମ୍ବାଦିକଙ୍କୁ ଗାଳି ଗୁଲଜ ସହ ଧମକ ମିଳିଥିବା ଅଭିଯୋଗ ହୋଇଛି। ସାମ୍ଵାଦିକ ଜଣଙ୍କ ଏନେଇ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ନଗୁ କଳସ ଓରଫ ସୁରେନ୍ଦ୍ର ବୋଲି ଜଣାପଡିଛି।
ସୂଚନା ମୁତାବକ ଗତ କାଲି ମୟୁର ଝାଲିଆ ଗ୍ରାମରେ କୋଭିଡ୍ ଟେଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ପାଇଁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ରଣପୁର ତହସିଲଦାରଙ୍କୁ ନଗୁ କଳସଙ୍କ ସହ ସ୍ଥାନୀୟ ଲୋକେ ରଖିଥିଲେ ଅଟକ।
ତେବେ ଖବର ସଂଗ୍ରହ ପାଇଁ ମୟୁର ଝାଲିଆ ଗାଁକୁ ଗଣମାଧ୍ୟମର ପ୍ରତିନିଧୀ ଦଳ ଯାଇଥିବା ବେଳେ ନଗୁ କଳସ ସାମ୍ବାଦିକମାନଙ୍କୁ ଧମକ ଚମକ ଦେଇଥିଲେ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ହୋଇଛି।
ଏ ନେଇ ଆଜି ମଧ୍ୟାହ୍ନରେ ଦୁଇ ଜଣ ସାମ୍ବାଦିକ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କୁ ଭେଟି ନଗୁଙ୍କ ବିରୋଧରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କ ଅଭିଯୋଗ ଆଧାରକ୍ରମେ ପୋଲିସ କେସ ନମ୍ବର ୭୪/୨୧ ରେ ଏକ ମାମଲା ରୁଜୁ କରିଛି।