Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ତହସିଲ କର୍ମଚାରୀ ଆହତ

ରଣପୁର: ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଉପରେ ରଣପୁର ତହସିଲ ପକ୍ଷରୁ ଚଢାଉ ବେଳେ ୪ ରାଜସ୍ବ ନିରୀକ୍ଷକଙ୍କ ଉପରେ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଫିଆଙ୍କ ଆକ୍ରମଣରେ ୪ ଗୁରୁତର ହୋଇଥିବା ମଧ୍ୟ ଜଣା ପଡିଛି।

ରଣପୁର ତହସିଲଦାର ରବିନ ଚର୍ଚିଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ଟି ଟିମ ଗଠନ କରାଯାଇ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଗତ କାଲି ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝାଲିଆ ନିକଟସ୍ଥ ବୋକାଖାଇ ଅଞ୍ଚଳର ବେଆଇନ ଖଣି ଖନନ ଚାଲିଥିବାବେଳେ କାଲି ରାତିରେ ସେହି ଖଣି ଉପରେ ଗୋଟିଏ ଟିମ ଚଢ଼ାଉ କରିଥିଲା। ସେହି ଟିମରେ ଥିଲେ ଝାଡପଡ଼ା ରାଜସ୍ବ ନିରୀକ୍ଷକ ରମାକାନ୍ତ ବେହେରା, ରାଇପଡା ରାଜସ୍ବ ନିରୀକ୍ଷକ ରାକେଶ ରଞ୍ଜନ ସେଠୀ, ଚାନ୍ଦପୁର ରାଜସ୍ବ ନିରୀକ୍ଷକ ସରୋଜ କୁମାର ସାହୁ ଏବଂ ରାଜସୁନଖଳା ରାଜସ୍ବ ନିରୀକ୍ଷକ ସୁକାନ୍ତ ମାଝି।

ଏହି ବେଆଇନ ଖଣି ଉପରେ ଚଢ଼ାଉ ବେଳେ ହଠାତ ୨୦ ରୁ ୨୫ ଜଣ ଖଣି ମାଫିଆମାନେ ସାମିଲ ହୋଇ କର୍ମଚାରୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ତହସିଲଦାର ପୋଲିସ ସହାୟତାରେ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏହି ଆକ୍ରମଣରେ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କ ଅବସ୍ଥା ଗୁରୁତ୍ଵ ହେବାପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦପୁର ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ତହସିଲଦାରଙ୍କ ସହ ସମସ୍ତ କର୍ମଚାରୀ ମାନେ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଭେଟି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଅଦଳ ବଦଳ, ଦେଖନ୍ତୁ ତାଲିକା

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ: ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଛି। ଲୁହା ରଡ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଟ୍ରଲର ଦୁଇ ଚାଳକ ଏବଂ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚମ୍ପାଗଡ ଜଙ୍ଗଲରେ ଲୁହା ରଡ୍ ଚୋରା କାରବାର ଚାଲିଥିବାର ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢାଉ କରି ୨ ଗୋଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଥିଲା। କର୍ଣ୍ଣାଟକରୁ ବଡବିଲ ଯାଉଥିବା ବେଳେ ଉକ୍ତ ଜଙ୍ଗଲରେ ମାଫିଆ ମାନେ ଲୁହା ରଡ୍ ଚୋରା ଚାଲାଣ କରୁଥିବା ବେଳେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୨ ଟ୍ରଲର ଚାଳକଙ୍କ ସହ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଗିରଫ ପୋଲିସ୍ କରିଥିଲା।

ତତସହିତ ସମୁଦାୟ ୪୦ ଫୁଟ ଲମ୍ବର ୬୬ ଗୋଟି ଲୁହା ରଡ଼ ପୋଲିସ ଜବତ କରିଥିଲା।  ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ।

ଏହି ସଂକ୍ରାନ୍ତରେ ଚାନ୍ଦପୁର ଥାନାରେ କେଶ ନମ୍ବର ୫୯/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଆଇଆଇସି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୂଆ ସିଲେଇ ମେସିନ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦପୁର ପୋଲିସ: ତିନି ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଚୋରିର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରୀରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ଗୋଟେ ସିଲେଇ ମେସିନ ଦୋକାନରୁ ସାତ ଗୋଟି ନୂଆ ସିଲେଇ ମେସିନ ଏବଂ ଉକ୍ତ ଅଞ୍ଚଳରୁ ଏକ ଟିଭିଏସ ଏକ୍ସଲ ମଟରସାଇକେଲ ଗତକାଲୀ ରାତିରେ ଦୁର୍ବୁତ୍ତ ମାନେ ଚୋରି କରି ନେଇଯାଇଥିଲେ।

ଅଭିଯୋଗ ପାଇବା ପରେ ଚାନ୍ଦପୁର ପୋଲିସ କେଶ ନମ୍ବର ୫୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି ଉକ୍ତ ଚୋରିରେ ସାମିଲ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଥାନା ଅଞ୍ଚଳର ରବୀନ୍ଦ୍ର ସାହୁ, ବୋଲଗଡ଼ ଥାନା ଅଞ୍ଚଳର ଧରିମ ଖାନ ଏବଂ ଟାଙ୍ଗୀ ଥାନା ଅଞ୍ଚଳର ଅଜୁ ମହାପାତ୍ର।

ଦୁର୍ବୁତ୍ତମାନେ ସମସ୍ତ ଚୋରି ଜିନିଷ ମାଣିକଗଡ଼, ବୋଲଗଡ ଏବଂ ଟାଙ୍ଗୀ ଅଞ୍ଚଳରେ ବିକ୍ରି କରିଥିବାର ପୋଲିସ ଆଗରେ ସ୍ୱୀକାର କରିଥିଲେ।

ତେବେ ଚୋରି ଜିନିଷ ମଧ୍ୟରୁ ପୋଲିସ ଚାରି ଗୋଟି ସିଲେଇ ମେସିନ ଏବଂ ଟିଭିଏସ ବାଇକ ଉଦ୍ଧାର କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।  ଉଦ୍ଧାର ଜିନିଷ ଗୁଡିକୁ ସେମାନଙ୍କ ମାଲିକଙ୍କୁ ଫେରାଇଦିଆଯାଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ମାରଧାର କରି ଲୁଟ୍: କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅନେକ ଅସାମାଜିକ ଯୁବକଙ୍କ ପାଦୁର୍ଭାବ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଲୁଟ, ଡକାୟତ ଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ସେସବୁକୁ ବ୍ରେକ ଲଗାଇବା ପାଇଁ ଚାନ୍ଦପୁର ପୋଲିସ ପ୍ରୟାସ ଜାରି ରଖିଛି। ତେବେ ଗତକାଲି ମଧ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲୁଟପାଟ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ପୋଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଜଣଙ୍କ ନିଜର ଟଙ୍କା ଫେରିପାଇବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ ଉପେନ୍ଦ୍ରପୁର ଗ୍ରାମର ସୁରସେନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ କବିରାଜ ପଲେଇ ନାମକ ଜଣେ ଅସାମାଜିକ ବ୍ୟକ୍ତି ସୁରସେନଙ୍କ ବାଟ ଓଗାଳିବା ସହ ତାଙ୍କୁ ମାରଧାର କରିଥିଲେ। ଏବଂ ତାଙ୍କ ପକେଟରୁ ୪ ହଜାର ୫ ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ସୁରସେନ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ୧୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲୁଟ ଟଙ୍କା ଜବତ କରିଛି। ପରେ ଏହି ଟଙ୍କାକୁ ପୋଲିସ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି। ତେବେ ଅଭିଯୁକ୍ତ କବିରାଜଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୨/୨୧ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି ବିଗତ ଦିନ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳର ପାଖାପାଖି ୮୦ ଜଣ ଦୁର୍ବୁତ୍ତ ପୋଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ରଣପୁର ସବ ଜେଲରେ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଗୋପୀ ବେହେରା ଉକ୍ତ ଗ୍ରାମର ପର୍ଶୁରାମ ପାଇକରାୟଙ୍କ ବେକକୁ ଛୁରି ଦ୍ୱାରା ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପର୍ଶୁରାମ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଚାନ୍ଦପୁର ପୋଲିସ ଗୋପୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେହିପରି ଭାବେ ୨୦୦୯ ମସିହାରେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ହତ୍ୟା କରି ଏକ କୂଅରେ ଫୋପାଡିଦେଇଥିଲେ। ଉକ୍ତ ମାମଲାରେ ଫେରାର ଥିବା ଉପେନ୍ଦ୍ର ପୁର ଗ୍ରାମର ସିନ୍ଧୁ ସାଗର ଜେନାଙ୍କୁ ଗତକାଲି ରାତିରେ ଚାନ୍ଦପୁର ପୋଲିସ ଗିରଫ କରିଛି।  ଏହି ଗିରଫ ଅଭିଯାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ, ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହେରା ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱରରୁ କୁହୁଡି ଅଂଚଳକୁ ଆସୁଥିଲା ଚୋରା ମଦ: ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ଜବତ କଲା ଚାନ୍ଦପୁର ପୋଲିସ

ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ  ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ  ପୋଲିସ୍  ଗାଡି ୨ ଟିକୁ ଅଟକାଇବା  ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା।

ଜବତ ହୋଇଥିବା ଗାଡିରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ମହଜୁଦ ଥିବା ଜଣାପଡିଛି। ଏହି ମାରୁତି ଭ୍ୟାନରେ ବାକାର୍ଡୀ, ମାକଡୁଏଲ ନଂ ୧ ପ୍ରିମିୟମ, ହଣ୍ଟର ଆଦି ଦାମୀ ବିଦେଶୀ ମଦ ବୋତଲ ଥିବା ଜଣା ପଡିଛି। ଏହି ୨ ଟି ଭ୍ୟାନରେ ୧୪୫୨ ମଦ ବୋତଲ ଥିବା ପୋଲିସ୍ ଏସଡିପିଓ ଏସ୍ ଟପ୍ନୋ ପ୍ରକାଶ କରିଛନ୍ତି। ଗାଡି ମାଲିକ କୁହୁଡି ଅଂଚଳର ବୋଲି ପୋଲିସ୍ ଜାଣିବାକୁ ପାଇଛି। ଏ ନେଇ ପୋଲିସ୍ ୧୦୮/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କୁ ଜୋରଦାର କରିଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ ଏହି ଚଢାଉରେ ନେତୃତ୍ଵରେ ନେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଥାନା ମହିଳା ଏସଆଇଙ୍କ ସାହାସିକତା: ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝେଇ ଗାଡ଼ିକୁ କଲେ କାବୁ

ନୟାଗଡ଼/ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାର ମହିଳା ଏସଆଇ ଅଞ୍ଜଳି ସା ଙ୍କ ସାହାସିକତାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଉକ୍ତ ମହିଳା ପୋଲିସ ଅଧିକାରୀ।

ସୂଚନା ମୁତାବକ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଏବଂ ତାଙ୍କ ଭାଇ ଧୀରେନ୍ଦ୍ର ସାହୁ ଗତକଲୀ ରାତିରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥୁବାର ସୂଚନା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଦେଇଥିଲେ।

ସୂଚନା ପାଇବା ମାତ୍ରେ ଆଇଆଇସି ଙ୍କ ନିର୍ଦେଶକ୍ରମେ ଏସ ଆଇ ଅଞ୍ଜଳି ସା ଙ୍କ ନେତୃତ୍ୱରେ ଏଏସଆଇ ରମେଶ କୁମାର ବେହେରା ଏବଂ କନଷ୍ଟେବଳ ସରୋଜ ଛୁଆଳସିଂହ କୁ ନେଇ ଏକ ଟିମ ଗଠନ ହୋଇଥିଲା। ତେବେ ଚାନ୍ଦପୁର ମସାଣି ସାହିଠାରୁ ପୋଲିସ ଉକ୍ତ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିଲା। ପିଛା କରିବା ସମୟରେ ଗୋରୁ ମାଫିଆମାନେ ପୋଲିସ ଗାଡ଼ି ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ। ତଥାପି ଏଥିରେ ଭୟଭୀତ ନହୋଇ ମହିଳା ଏସ ଆଇ ସେମାନଙ୍କ ପିଛା କରି ଖୋର୍ଦ୍ଧା ଯାଏଁ ପହଞ୍ଚିଥିଲେ।

ପରିଶେଷରେ ନିରୁପାୟ ହୋଇ ପୋଲିସ ଭୟରେ ଗୋରୁ ମାଫିଆମାନେ ଜଙ୍ଗଲ ମଧ୍ୟକୁ ଡେଇଁ ଫେରାର ହୋଇଯାଇଥିବା ବେଳେ ଗୋରୁ ବୋଝେଇ ଗାଡ଼ି ସେଠାରେ ଛାଡି ପଳାଇଥିଲେ। ପୋଲିସ ଗାଡ଼ିରୁ ୪ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରିବା ସହ ବୋଲେରୋକୁ ଜବତ କରିଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ୭୬/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।

ତେବେ ଆଇଆଇସି ଙ୍କ କହିବା ମୁତାବକ ଜବତ ବୋଲେରୋଟି ଦୀର୍ଘଦିନ ହେଲା ଟାଙ୍ଗୀ, ରଣପୁର ଏବଂ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କରିବା ସହ ଆତଙ୍କ ମଚାଇଥିଲା ଏବଂ ଉକ୍ତ ବୋଲେରୋଟି ଏକ ଚୋରା ଗାଡ଼ି ଯାହା ଓଡଗାଁ ଅଞ୍ଚଳରୁ କିଛିଦିନ ତଳେ ଚୋରି ହୋଇଥିଲା। ସେହିପରି ଭାବେ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ଚି଼ହ୍ନଟ ହୋଇଗଲେଣି ଏବଂ ଖୁବଶୀଘ୍ର ଧରାପଡ଼ିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ତେବେ ମହିଳା ଅଧିକାରୀଙ୍କ ଏପରି ସାହାସିକତା ପାଇଁ ଖୋଦ ଆଇଆଇସି ଏବଂ ଜନସାଧାରଣମାନେ ଅଞ୍ଜଳି ସା ଙ୍କୁ ପ୍ରଶଂସା କରିଛନ୍ତି।

ଅନୁରୂପ ଭାବେ ଲକଡ଼ାଉନ ନିୟମକୁ ବେଖାତିର କରି ଚାନ୍ଦପୁର ଅଞ୍ଚଳରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ଚାଲୁରହିଥିବା ବେଳେ ଚାନ୍ଦପୁର ଆଇଆଇସି ଆଜି ଉକ୍ତ କୋଚିଙ୍ଗ ସେଣ୍ଟରରେ ଚଢ଼ାଉ କରି ଦୁଇ ଜଣ ଅଧ୍ୟାପକଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରି ଭାବେ ଚାନ୍ଦପୁର ଅଞ୍ଚଳର ଏକ ବିଦେଶୀ ମଦ ଦୋକାନଠାରୁ ୫ ହଜାର ଜରିମାନା ଆଦାୟ କରିଛି ପୋଲିସ। ଆଜି ସଂଧ୍ୟା ସୁଧା କୋଭିଡ଼ ନିୟମ ଉଲଂଘନ ବାବଦକୁ ସମୁଦାୟ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୀବନରୁ ମାରିଦେବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଧମକ: ଚାନ୍ଦପୁର ଥାନାରେ କଲେ ଅଭିଯୋଗ

ନୟାଗଡ/ଚାନ୍ଦପୁର: ପୁଣି ଏକ ସାମ୍ବାଦିକଙ୍କୁ ଗ‍ାଳି ଗୁଲଜ ସହ ଧମକ ମିଳିଥିବା ଅଭିଯୋଗ ହୋଇଛି। ସାମ୍ଵାଦିକ ଜଣଙ୍କ ଏନେଇ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ନଗୁ କଳସ ଓରଫ ସୁରେନ୍ଦ୍ର ବୋଲି ଜଣାପଡିଛି।

ସୂଚନା ମୁତାବକ ଗତ କାଲି ମୟୁର ଝାଲିଆ ଗ୍ରାମରେ କୋଭିଡ୍ ଟେଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ପାଇଁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ରଣପୁର ତହସିଲଦାରଙ୍କୁ ନଗୁ କଳସଙ୍କ ସହ ସ୍ଥାନୀୟ ଲୋକେ  ରଖିଥିଲେ ଅଟକ।

ତେବେ ଖବର ସଂଗ୍ରହ ପାଇଁ ମୟୁର ଝାଲିଆ ଗାଁକୁ ଗଣମାଧ୍ୟମର ପ୍ରତିନିଧୀ ଦଳ ଯାଇଥିବା ବେଳେ ନଗୁ କଳସ ସାମ୍ବାଦିକମାନଙ୍କୁ ଧମକ ଚମକ ଦେଇଥିଲେ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ହୋଇଛି।

ଏ ନେଇ ଆଜି ମଧ୍ୟାହ୍ନରେ ଦୁଇ ଜଣ ସାମ୍ବାଦିକ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କୁ ଭେଟି ନଗୁଙ୍କ ବିରୋଧରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କ ଅଭିଯୋଗ ଆଧାରକ୍ରମେ ପୋଲିସ କେସ ନମ୍ବର ୭୪/୨୧ ରେ ଏକ ମାମଲା ରୁଜୁ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚାନ୍ଦପୁର ଥାନାରେ ପସିଲା କରୋନା: ଜଣେ ଗିରଫ ଅଭିଯୁକ୍ତ ପଜିଟିଭ ଚିହ୍ନଟ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ ଜଣେ ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଭିଯୁକ୍ତ ଜଣକ ଗତକାଲି ଗିରଫ ହୋଇଥିଲେ। ଗିରଫ ପରେ ତାଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କର ପଜିଟିଭ ଆସିଛି।

ଏହା ପରେ ଥାନାର ୭ ଜଣ କର୍ମଚାରୀ ସଙ୍ଗରୋଧକୁ ଯାଇଥିବା ସୂଚନା ରହିଛି। ସାଧାରଣ ଲୋକଙ୍କୁ ଥାନାକୁ ଯାଇ ଭିଡ ନକରିବା ପାଇଁ କୁହାଯାଇଛି। ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଥାନାର ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆଜି ଚାନ୍ଦପୁର ଥାନାକୁ ବିଶୋଧନ କରାଯାଇଛି।