ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ତହସିଲ କର୍ମଚାରୀ ଆହତ

Published: Oct 12, 2023, 6:24 pm IST

ରଣପୁର: ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଉପରେ ରଣପୁର ତହସିଲ ପକ୍ଷରୁ ଚଢାଉ ବେଳେ ୪ ରାଜସ୍ବ ନିରୀକ୍ଷକଙ୍କ ଉପରେ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଫିଆଙ୍କ ଆକ୍ରମଣରେ ୪ ଗୁରୁତର ହୋଇଥିବା ମଧ୍ୟ ଜଣା ପଡିଛି।

ରଣପୁର ତହସିଲଦାର ରବିନ ଚର୍ଚିଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ଟି ଟିମ ଗଠନ କରାଯାଇ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଗତ କାଲି ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝାଲିଆ ନିକଟସ୍ଥ ବୋକାଖାଇ ଅଞ୍ଚଳର ବେଆଇନ ଖଣି ଖନନ ଚାଲିଥିବାବେଳେ କାଲି ରାତିରେ ସେହି ଖଣି ଉପରେ ଗୋଟିଏ ଟିମ ଚଢ଼ାଉ କରିଥିଲା। ସେହି ଟିମରେ ଥିଲେ ଝାଡପଡ଼ା ରାଜସ୍ବ ନିରୀକ୍ଷକ ରମାକାନ୍ତ ବେହେରା, ରାଇପଡା ରାଜସ୍ବ ନିରୀକ୍ଷକ ରାକେଶ ରଞ୍ଜନ ସେଠୀ, ଚାନ୍ଦପୁର ରାଜସ୍ବ ନିରୀକ୍ଷକ ସରୋଜ କୁମାର ସାହୁ ଏବଂ ରାଜସୁନଖଳା ରାଜସ୍ବ ନିରୀକ୍ଷକ ସୁକାନ୍ତ ମାଝି।

ଏହି ବେଆଇନ ଖଣି ଉପରେ ଚଢ଼ାଉ ବେଳେ ହଠାତ ୨୦ ରୁ ୨୫ ଜଣ ଖଣି ମାଫିଆମାନେ ସାମିଲ ହୋଇ କର୍ମଚାରୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ତହସିଲଦାର ପୋଲିସ ସହାୟତାରେ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏହି ଆକ୍ରମଣରେ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କ ଅବସ୍ଥା ଗୁରୁତ୍ଵ ହେବାପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦପୁର ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ତହସିଲଦାରଙ୍କ ସହ ସମସ୍ତ କର୍ମଚାରୀ ମାନେ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଭେଟି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି।

Related posts