Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ତହସିଲ କର୍ମଚାରୀ ଆହତ

ରଣପୁର: ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଉପରେ ରଣପୁର ତହସିଲ ପକ୍ଷରୁ ଚଢାଉ ବେଳେ ୪ ରାଜସ୍ବ ନିରୀକ୍ଷକଙ୍କ ଉପରେ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଫିଆଙ୍କ ଆକ୍ରମଣରେ ୪ ଗୁରୁତର ହୋଇଥିବା ମଧ୍ୟ ଜଣା ପଡିଛି।

ରଣପୁର ତହସିଲଦାର ରବିନ ଚର୍ଚିଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ଟି ଟିମ ଗଠନ କରାଯାଇ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଗତ କାଲି ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝାଲିଆ ନିକଟସ୍ଥ ବୋକାଖାଇ ଅଞ୍ଚଳର ବେଆଇନ ଖଣି ଖନନ ଚାଲିଥିବାବେଳେ କାଲି ରାତିରେ ସେହି ଖଣି ଉପରେ ଗୋଟିଏ ଟିମ ଚଢ଼ାଉ କରିଥିଲା। ସେହି ଟିମରେ ଥିଲେ ଝାଡପଡ଼ା ରାଜସ୍ବ ନିରୀକ୍ଷକ ରମାକାନ୍ତ ବେହେରା, ରାଇପଡା ରାଜସ୍ବ ନିରୀକ୍ଷକ ରାକେଶ ରଞ୍ଜନ ସେଠୀ, ଚାନ୍ଦପୁର ରାଜସ୍ବ ନିରୀକ୍ଷକ ସରୋଜ କୁମାର ସାହୁ ଏବଂ ରାଜସୁନଖଳା ରାଜସ୍ବ ନିରୀକ୍ଷକ ସୁକାନ୍ତ ମାଝି।

ଏହି ବେଆଇନ ଖଣି ଉପରେ ଚଢ଼ାଉ ବେଳେ ହଠାତ ୨୦ ରୁ ୨୫ ଜଣ ଖଣି ମାଫିଆମାନେ ସାମିଲ ହୋଇ କର୍ମଚାରୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ତହସିଲଦାର ପୋଲିସ ସହାୟତାରେ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏହି ଆକ୍ରମଣରେ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କ ଅବସ୍ଥା ଗୁରୁତ୍ଵ ହେବାପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦପୁର ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ତହସିଲଦାରଙ୍କ ସହ ସମସ୍ତ କର୍ମଚାରୀ ମାନେ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଭେଟି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ରଣପୁର ତହସିଲ: ଖଣି ମାଫିଆଙ୍କ ଆଡ୍ଡା ସ୍ଥଳୀରେ ବୁଲିଲା ଜେସିବି

ରଣପୁର: ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି। ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି।

ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ। ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ। ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ ଆସୁଥିଲେ। ମାଙ୍କଡା ପଥର କାଟି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ। ଫଳରେ ସରକାରୀ ରାଜସ୍ୱ ହାନି ହେଉଥିଲା।  କୁଶପଲ୍ଲାରେ ଚଢାଉ ବେଳେ ଏନଫୋର୍ସମେଣ୍ଟ ଟିମ୍ କୁ ଖଣି ମାଫିଆଙ୍କ ଆକ୍ରମଣ ପରେ ଏଭଳି ଆକ୍ସନ ମୋଡ୍ କୁ ଆସିଛି ରଣପୁର ତହସିଲ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣିରେ ଚଢ଼ାଉ ବେଳେ ଏନଫୋର୍ସମେଣ୍ଟ ଟିମକୁ ଗାଡି ଚଢାଇ ମାରିଦେବା ଉଦ୍ୟମ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରଣପୁରର ବେଆଇନ ଖଣିକୁ ନେଇ ସାରା ନୟାଗଡ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆଜି ଖଣି ମାଫିଆ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।  ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଖଣି ମାଫିଆମାନେ ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସୁଦାମ ଚରଣ ବେହେରା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା। ଏମାନେ ପହଂଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆମାନେ ଗାଡି ଚଢାଇ ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯିବା ନେଇ ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର।

ଆଜିର ଏହି ଚଢ଼ାଉ କାର୍ଯ୍ୟରେ ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାୟପଡା ଆରଆଇ ରାକେଶ ରଞ୍ଜନ ସେଠି ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଖଣି ମାଫିଆ ଓ ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ଏବଂ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢ଼ୁଥିବା ବେଳେ ଏହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। କିଛି ଦିନ ତଳେ ଜିଲ୍ଲାରେ ନିଶା ବେପାର ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଠପ କରିବା ପାଇଁ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାର ନେତୃତ୍ଵ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ନେଉଛନ୍ତି। ଟିମ ଗଠନ ହେବାର ମାତ୍ର ପନ୍ଦର ଦିନ ହୋଇଥିବା ବେଳେ ଏହାର ସୁଫଳ ଜିଲ୍ଲାରେ ଦେଖିବାକୁ ମିଳୁଛି।

ଜିଲ୍ଲାର ଶ୍ରଦ୍ଧାପୂର, କୁମାରବସ୍ତ, ବଡ଼ପୋଖରୀଆ, କମାଗୁରୁ, ଓଳସିଂହ ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ସ୍ୱତନ୍ତ୍ର ଟିମ ନିରନ୍ତର ଭାବେ ଉକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ଜଙ୍କିଆ ଥାନା ଓଳସିଂହ ସ୍ଥିତ ଓରାଙ୍ଗ ଖଣିରେ ଇନ୍ସପେକ୍ଟର ଦାସ ଚଢ଼ାଉ କରି ୩ ଗୋଟି ଜେସିବି, ୪ ଗୋଟି ପାୱାରଟିଲର ଏବଂ ୨ ଗୋଟି ଟ୍ରାକ୍ଟର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏ ସଂକ୍ରାନ୍ତରେ ଜଙ୍କିଆ ଥାନାରେ ଚାରି ଗୋଟି ମାମଲା ରୁଜୁ ହୋଇଛି।

ସୂଚନା ଥାଉକି ଅଦ୍ୟାବଧି ସ୍ୱତନ୍ତ୍ର ଟିମ ଦ୍ୱାରା ଜିଲ୍ଲାରେ ୭ ଗୋଟି ବ୍ରାଉନ ସୁଗାର ମାମଲା ଠାବ ହେବା ସହ ୨୫ ଗୋଟି ଟ୍ରକ ଏବଂ ଟ୍ରାକ୍ଟର, ୮ ଗୋଟି ଜେସିବି ଏବଂ ଏକାଧିକ ଷ୍ଟୋନ କଟର ମେସିନ ଜବତ ହେବା ସହ ୧୦ ରୁ ଉର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଖଣି ମାଫିଆ ଓ ନିଶା ବେପାରିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଏପରି କଠୋର କାର୍ଯ୍ୟାନୁଷ୍ଠାନରେ ଅପରାଧୀଙ୍କ ମନରେ ଛନକା ପଶିଯାଇଛି। ଜିଲାରୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଏବଂ ବ୍ରାଉନ ସୁଗାର ବେପାରକୁ ମୁଳୋତ୍ପାଟନ କରିବା ଦିଗରେ ଜିଲ୍ଲା ପୋଲିସ ଅହରହ କାମ କରୁଛି।

ଅନୁରୂପ ଭାବେ ଯଦି ଜିଲ୍ଲାର କୌଣସି ସ୍ଥାନରେ ବ୍ରାଉନ ସୁଗାର କାରବାର ଅବା ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥୁବାର କେହି ଜିଲ୍ଲାବାସି ଜାଣନ୍ତି ତେବେ ଏ ନେଇ ସଙ୍ଗେସଙ୍ଗେ ଜିଲ୍ଲା ପୋଲିସକୁ ସୂଚନା ଦେବା ପାଇଁ ଏସପି ଅପିଲ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଖଣି ମାଫିଆଙ୍କ ଆତଙ୍କରାଜ, ଡିଏସପି ସୁରେନ୍ଦ୍ର ସିଂଙ୍କ ଉପରେ ଚଢାଇଲେ ଡମ୍ପର, ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣାର ପଚଗାଓଁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି। ଡିଏସପିଙ୍କ ଉପରକୁ ଖଣି ମାଫିଆମାନେ ଡମ୍ପର ଚଢାଇଦେଇଛନ୍ତି। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ହରିୟାଣା

ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଏକ ସୂଚନା ପାଇବା ପରେ ଖଣି ଖନନ ବନ୍ଦ କରିବାକୁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂ ବେଆଇନ ପଥରରେ ଭର୍ତ୍ତି ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଖଣି ମାଫିଆର ଲୋକମାନେ ଡମ୍ପରକୁ ଡିଏସପି ଉପରେ ଚଢାଇ ଦେଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ନୁହୁ ଏସପି ଏବଂ ଆଇଜି ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, କାର ନିକଟରେ ଡିଏସପି ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ତାଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଦୁଃଖର କଥା ହେଉଛି ସୁରେନ୍ଦ୍ର ସିଂ ଚଳିତ ବର୍ଷ ଅବସର ଗ୍ରହଣ କରିଥାନ୍ତେ।

ଏଡିଜି ସନ୍ଦୀପ ଖେଡୱାଲ କହିଛନ୍ତି ଯେ ରାତି ପ୍ରାୟ ୧୨ ଟା ବେଳେ ପୋଲିସ ସୂଚନା ମିଳିଥିଲା। ପୂର୍ବରୁ ଖଣି ମାଫିଆ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା, ବର୍ତ୍ତମାନ ମଧ୍ୟ ଚାଲିଛି ଏବଂ ଆଗକୁ ଆହୁରି ଜୋରଦାର କରାଯିବ।

Categories
ଆଞ୍ଚଳିକ

ଜଙ୍କିଆ ଥାନାଧିକାରୀଙ୍କ ବଦଳିରେ ଖୁସି ମନାଇଲେ ଖଣି ମାଫିଆ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ। ଗତକାଲି ତାଙ୍କର ଟାଙ୍ଗୀ ଥାନାକୁ ବଦଳି ହେବା ଖବର ପ୍ରଚାର ହେବା ପରେ ଜଙ୍କିଆରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବହୁ ଖଣି ମାଫିଆମାନେ ଶ୍ରୀ ବିଶ୍ୱାଳଙ୍କ ବଦଳିରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି। ତେବେ ଏହା ପଛରେ ଅନେକ କାରଣ ଥିବା  କୁହାଯାଉଛି।

ଯେତେବେଳେ ଶ୍ରୀ ବିଶ୍ଵାଳ ନୂତନ ଆଇଆଇସି ଭାବେ ଜଙ୍କିଆ ଥାନାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ମାତ୍ର ୭ ମାସ ମଧ୍ୟରେ ଜଙ୍କିଆ ଥାନା ଅଞ୍ଚଳରେ ଥିବା ଖଣି ମାଫିଆମାନଙ୍କ ନିଦ ହଜାଇଦେଇଥିଲେ। ପ୍ରତିଦିନ ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ଏକାଧିକ ଗାଡ଼ି ଜବତ କରିଥିଲେ। ଫଳ ସ୍ୱରୂପ କିଛି ଖଣି ମାଫିଆ ନିଜ ଗାଡ଼ି ବିକ୍ରି କରିଦେଉଥିବା ବେଳେ ଆଉ କିଛି ମାଫିଆ ମାନେ ନିଜ ନିଜ ଗାଡ଼ିକୁ ଘରେ ରଖିଦେଇଥିବାର ଶୁଣିବାକୁ ମିଳୁଥିଲା। ଜଣେ ସଚ୍ଚୋଟ, କର୍ତ୍ତବ୍ୟ ପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ଶ୍ରୀ ବିଶ୍ଵାଳ ବେସ୍ ଜଣାଶୁଣା।

ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ। ଏପରିକି ବାଣପୁର ଥାନାରୁ ବଦଳି ଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା। ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ସେହିପରି ଭାବେ ବର୍ତ୍ତମାନ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ କଟକ ଜିଲ୍ଲାକୁ ବଦଳି ହୋଇଥିବାବେଳେ ଟାଙ୍ଗୀରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ନୂତନ ଆଇଆଇସି ଶ୍ରୀ ବିଶ୍ୱାଳଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଉଗ୍ରତାରା ରୋଡରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ରାତି ଅଧରେ ମାଫିଆମାନେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ପଥର କାରବାର କରୁଛନ୍ତି। ଫଳରେ ବହୁଳ ପରିମାଣର ସରକାରୀ ରାଜସ୍ୱ ହାନି ହେଉଛି।

ତେବେ ସେହି ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ପୋଲିସ୍ ଚଢାଉ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ୍ ଉଗ୍ରତାରା ରୋଡ୍ ରେ ଚଢାଉ କରି ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲା। ଏହା ସହ ୩ ଜଣ ଟ୍ରାକ୍ଟର ଚାଳକଙ୍କୁ ମଧ୍ୟ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏଥର ଆଉ ନିସ୍ତାର ନାହିଁ: ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଦିନକୁ ଦିନ ଟାଙ୍ଗୀ ତହସିଲ ଅଂଚଳରେ ପଥର ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। କେତେବେଳେ ତହସିଲଦାର ତ କେତେବେଳେ ରାଜସ୍ୱ ନୀରିକ୍ଷକ ପଥର ମାଫିଆମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ହେଲେ ମାଫିଆମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବେଆଇନ ପଥର ଖଣିର ଉପରେ ଚଢାଉ କରିଛି। କୁହୁଡି ତଳ ଗଡ ମୌଜାରେ ଚଢାଉ କରି ଜିଲ୍ଲା ପ୍ରଶାସନ ୪ ଟି ମାଟି ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିଛି। ଟାଙ୍ଗୀ ତହସିଲଦାର ଯୁଗଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟ୍ୟାୟ ଏହି ଚଢାଉରେ ସାମିଲ ଥିଲେ।

ପଥର ମାଫିଆ ମାନେ ବେଧଡକ ଦିନ ଦ୍ୱିପ୍ରହରରେ ମାଟି ଲୁଟି ନେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଛି। ଏହାସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ତେଣୁ ଏଭଳି ଚଢାଉ ଆଗକୁ ଜାରି ରଖିବେ ବୋଲି ଖଣି ମାଫିଆମାନଙ୍କୁ ବାଲୁଗାଁ ଏସ୍ ଡି ପି ଓ ମାନସ ରଂଜନ ବାରିକ କଡା ସନ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ଖଣି ମାଫିଆ ଏବଂ ବନବିଭାଗ ମୁହାଁମୁହିଁ: ଜବତ ଜେସିବିକୁ ଛଡାଇନେଲେ ସ୍ଥାନୀୟ ଲୋକେ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳରେ ଖଣି ମାଫିଆଙ୍କ ବେଆଇନ ପଥର କାରବାର ବଢିବାରେ ଲାଗିଛି। ବନ ବିଭାଗ ଏବଂ ତହସିଲଦାରଙ୍କ ନେତୃତ୍ବରେ ବାରମ୍ବାର ଚଢାଉ ହେଉଥିବା ବେଳେ ସେମାନଙ୍କର ଚୋରା କାରବାର କମିବା ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଛି। ଆଇନକୁ ଭ୍ରୂକ୍ଷେପ ନକରି ବେଧଡକ ଭାବେ ଚୋରା କାରବାର ଜାରି ରଖିଛନ୍ତି। ଏଭଳିକି ସେମାନେ ବନବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଛନ୍ତି। କିଛି ମାସ ତଳେ ଟାଙ୍ଗୀ ତହସିଲଦାରଙ୍କୁ କେତେଜଣ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସେହି ବନାଞ୍ଚଳରେ ମଧ୍ୟ କିଛି ଅଘଟଣ ଘଟିଥିବା ଶୁଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ନାଚୁଣୀ ନିକଟସ୍ଥ ଗମେଇଁ ଗ୍ରାମରେ ଥିବା ଜଙ୍ଗଲରେ ଖଣି ମାଫିଆ ବେଆଇନ ମାଙ୍କଡା ପଥର ଖଣିରେ ପଥର କାଟୁଥିବା ନେଇ ଟାଙ୍ଗୀ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏନେଇ ବନ ବିଭାଗର ଏକ ମିଳିତ ଟିମ୍ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ଖଣି ମାଫିଆ ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ହେଲେ ବନ ବିଭାଗ ସେଠାରୁ ଗୋଟିଏ ଜେସିବି ମେସିନକୁ ଜବତ କରିଥିଲା। ଜେସିବିକୁ ଜବତ କରି ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିରୋଧ କରିଥିଲେ। କେବଳ ସେତିକି ନୁହେଁ ବଳ ପୂର୍ବକ ବନ ବିଭାଗ ହାତରୁ ଜେସିବିକୁ ଛଡାଇନେଇଥିଲେ।

ଏହି ଚଢାଉରେ ଖୋର୍ଦ୍ଧା ଜିଲ୍ଲା  ସହକାରୀ ବନାଞ୍ଚଳ ଅଧିକାରୀଙ୍କ ସମେତ  ଟାଙ୍ଗୀ, ରଣପୁର, ବାଲୁଗାଁ ଏବଂ ଖୋର୍ଦ୍ଧା ବନ ବିଭାଗର ରେଞ୍ଜର ଓ  ଟିମ୍ ସାମିଲ ହୋଇଥିଲେ। ତେବେ ଘଟଣାସ୍ଥଳରୁ ଫେରିବା ବେଳକୁ ସଂଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଏହି ଘଟଣାକୁ  ନେଇ ବନ ବିଭାଗ ପକ୍ଷରୁ ବାଣପୁର  ଥାନାରେ ଏତଲା ଦିଆଯିବ ବୋଲି ଟାଙ୍ଗୀ ରେଞ୍ଜର ରବିନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ବେଆଇନ ପଥର ଖଣି ଉପରେ ଚଢାଉ: ୫ ମାଫିଆ ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ମାଙ୍କଡା ପଥର ଖଣି ମାଫିଆଙ୍କ ବେଳକୁ ବେଳ ଦୌରାତ୍ମ୍ୟ ବଢି ଚାଲିଛି। ସ୍ଥାନୀୟ ପ୍ରଶାସନକୁ ଖାତିର ନ କରି ସେମାନେ ବେଆଇନ ଭାବେ ମାଙ୍କଡା ପଥରକୁ ଚୋରି ଛୁପି ବିକ୍ରି କରି ଚାଲୁଛନ୍ତି। ଏହି ଖଣି ମାଫିଆଙ୍କ ଚୋରା କାରବାରକୁ ରୋକିବା ପାଇଁ ଚାନ୍ଦପୁର ପୋଲିସ ଚେଷ୍ଟା କରୁଛି।

ଆଜି ମୟୁରଝାଲିଆ ପଂଚାୟତ ବୋରବର ଝର ଗ୍ରାମ ନିକଟ ବେଆଇନ ପଥର ଖଣି ଉପରେ ଚାନ୍ଦପୁର ପୋଲିସ ଚଢାଉ କରିଛି। ହେଲେ ପୋଲିସଙ୍କ ଏହି ଚଢାଉ ଵେଳେ ଖଣି ମାଫିଆମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରିନଥିଲେ। ଏଥିରେ ପୋଲିସ ୫ ଜଣ ଖଣି ମାଫିଆଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରାକ୍ଟର ଏବଂ ୨ଟି  ବାଇକ୍ ଜବତ କରିଛି।