ଆକ୍ସନ ମୁଡ଼ରେ ରଣପୁର ତହସିଲ: ଖଣି ମାଫିଆଙ୍କ ଆଡ୍ଡା ସ୍ଥଳୀରେ ବୁଲିଲା ଜେସିବି

Published: May 11, 2023, 8:52 pm IST

ରଣପୁର: ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି। ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି।

ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ। ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ। ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ ଆସୁଥିଲେ। ମାଙ୍କଡା ପଥର କାଟି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ। ଫଳରେ ସରକାରୀ ରାଜସ୍ୱ ହାନି ହେଉଥିଲା।  କୁଶପଲ୍ଲାରେ ଚଢାଉ ବେଳେ ଏନଫୋର୍ସମେଣ୍ଟ ଟିମ୍ କୁ ଖଣି ମାଫିଆଙ୍କ ଆକ୍ରମଣ ପରେ ଏଭଳି ଆକ୍ସନ ମୋଡ୍ କୁ ଆସିଛି ରଣପୁର ତହସିଲ।

Related posts