ଜଙ୍କିଆ ଥାନାଧିକାରୀଙ୍କ ବଦଳିରେ ଖୁସି ମନାଇଲେ ଖଣି ମାଫିଆ

Published: Jun 25, 2022, 6:15 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ। ଗତକାଲି ତାଙ୍କର ଟାଙ୍ଗୀ ଥାନାକୁ ବଦଳି ହେବା ଖବର ପ୍ରଚାର ହେବା ପରେ ଜଙ୍କିଆରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବହୁ ଖଣି ମାଫିଆମାନେ ଶ୍ରୀ ବିଶ୍ୱାଳଙ୍କ ବଦଳିରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି। ତେବେ ଏହା ପଛରେ ଅନେକ କାରଣ ଥିବା  କୁହାଯାଉଛି।

ଯେତେବେଳେ ଶ୍ରୀ ବିଶ୍ଵାଳ ନୂତନ ଆଇଆଇସି ଭାବେ ଜଙ୍କିଆ ଥାନାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ମାତ୍ର ୭ ମାସ ମଧ୍ୟରେ ଜଙ୍କିଆ ଥାନା ଅଞ୍ଚଳରେ ଥିବା ଖଣି ମାଫିଆମାନଙ୍କ ନିଦ ହଜାଇଦେଇଥିଲେ। ପ୍ରତିଦିନ ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ଏକାଧିକ ଗାଡ଼ି ଜବତ କରିଥିଲେ। ଫଳ ସ୍ୱରୂପ କିଛି ଖଣି ମାଫିଆ ନିଜ ଗାଡ଼ି ବିକ୍ରି କରିଦେଉଥିବା ବେଳେ ଆଉ କିଛି ମାଫିଆ ମାନେ ନିଜ ନିଜ ଗାଡ଼ିକୁ ଘରେ ରଖିଦେଇଥିବାର ଶୁଣିବାକୁ ମିଳୁଥିଲା। ଜଣେ ସଚ୍ଚୋଟ, କର୍ତ୍ତବ୍ୟ ପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ଶ୍ରୀ ବିଶ୍ଵାଳ ବେସ୍ ଜଣାଶୁଣା।

ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ। ଏପରିକି ବାଣପୁର ଥାନାରୁ ବଦଳି ଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା। ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ସେହିପରି ଭାବେ ବର୍ତ୍ତମାନ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ କଟକ ଜିଲ୍ଲାକୁ ବଦଳି ହୋଇଥିବାବେଳେ ଟାଙ୍ଗୀରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ନୂତନ ଆଇଆଇସି ଶ୍ରୀ ବିଶ୍ୱାଳଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

Related posts