Categories
ଆଜିର ଖବର ରାଜ୍ୟ ଖବର

୪ ବର୍ଷର ଶିଶୁର ୪ ଦିନ ପରେ ମିଳିଲା ସନ୍ଧାନ: ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ନିଖୋଜ ହେବାର ୪ ଦିନ ପରେ ୪ ବର୍ଷର ଶିଶୁର ସନ୍ଧାନ ମିଳିଛି। ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ ରାହୁଲ୍ (୪ ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ସେ ଘରକୁ ଫେରିନଥିଲା। ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ ନିଖୋଜ ଶିଶୁର ସନ୍ଧାନ ମିଳିନଥିଲା।

ଏହାପରେ ଗାଧୋଇବାକୁ ଯାଇଥିବା ଖଣିରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ପହଞ୍ଚିଥିଲା।ସେଠାରେ ତନ୍ନ ତନ୍ନ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜିଥିଲା। ନିକଟସ୍ଥ ଜଙ୍ଗଲ କୂଅ ପୋଖରୀରେ ମଧ୍ୟ ତଲାସ କରିଥିଲେ ମଧ୍ୟ୍ ସଫଳ ହୋଇ ପାରିନଥିଲେ।

ଆଜି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ଟାଙ୍ଗୀ ପୋଲିସ ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ କନେଷ୍ଟବଳ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କନେଷ୍ଟବଳଙ୍କର ନାମ ବିନୋଦ କହଁର। ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ ବିନୋଦ କାମ ସାରି ବାଇକ ଯୋଗେ ଟାଙ୍ଗୀ ଫେରୁଥିଲେ। ରାମେଶ୍ଵର ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜଙ୍କିଆରୁ ତିନି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚଢ଼ାଉ କରି ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଛଣଗିରି ଠାରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ପାଇ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଓ ଟିମ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢ଼ାଉ ରେ ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର(35) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 30 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୋଖରୀରେ ବୁଡି ନାବାଳକ ମୃତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଜାଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଭଜାଗଡ ଗ୍ରାମର ଡମ୍ବରୁ ବାରିକଙ୍କ ପୁତ୍ର ଆଲୋକ (୧୦) ପୋଖରୀରେ ଗାଧୋଇବାକୁ ଯାଇଥିଲେ। ସ୍କୁଲ୍ ରୁ ଫେରି ସାଙ୍ଗ ସାଥିମାନଙ୍କ ସହ ଘର ନିକଟସ୍ଥ ପୋଖରୀକୁ ଆଲୋକ ଗାଧୋଇବା ପାଇଁ ଯାଇଥିଲେ।

ପୋଖରୀରେ ଗାଧୋଇବା ବେଳେ ପହଁରି ପହଁରି ଗଭୀର ଜଳକୁ ପଳାଇଯାଇଥିଲେ। ଯାହାପରେ ସେ ଆଉ କୂଳକୁ ଫେରି ପାରିନଥିଲେ। ପୋଖରୀରେ ବହୁ ଖୋଜା ଖୋଜି ପରେ ନାବାଳକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ଜବତ କରି ଟାଙ୍ଗୀ ପୋଲିସ୍ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଥାନା ଅଞ୍ଚଳରୁ ୨ ନିଶା ବେପାରି ଗିରଫ, ବ୍ରାଉନ ସୁଗାର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ବଢୁଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳକୁ ଛାଡିଦେଲେ ପ୍ରାୟତଃ ଜିଲ୍ଲାର ବାକି ସବୁ ଥାନା ଅଞ୍ଚଳରେ କାୟା ବିସ୍ତାର କରିସାରିଲାଣି ଧଳା ଜହର।

ଆଜି ଟାଙ୍ଗୀ ପୋଲିସ ମଙ୍ଗଳାଯୋଡି-ଟାଙ୍ଗୀ ରୋଡ ନିକଟସ୍ଥ ପଣସପୁରପାଟଣା ଗ୍ରାମର ଏକ ନିର୍ମାଣଧୀନ ଘରେ ଚଢ଼ାଉ କରି ବ୍ରାଉନ ସୁଗାର କାରବାର ଅଭିଯୋଗରେ ୨ ନିଶା ବେପାରୀଙ୍କୁ ଗିରଫ କରିଛି। ବେପାରି ଦ୍ବୟ ହେଲେ ଟାଉନ ଥାନା ଅଞ୍ଚଳର ପପୁ ଭରିମଲ (୨୫) ଏବଂ ରବି ଚନ୍ଦ୍ର ବରାଳ (୫୨)। ସେମାନଙ୍କ ନିକଟରୁ ୧୭.୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୫ ହଜାର ଟଙ୍କା ହେବ।  ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟରର ରୋଟରରେ ହଳ କରୁଥିବା ବେଳେ ଅଘଟଣ: ଛାତ୍ରଙ୍କର ଗୋଡ ହେଲା ଦୁଇ ଖଣ୍ଡ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାମଚନ୍ଦ୍ରପୁର ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଲରେ ମୁଗ ବୁଣିବା ପାଇଁ ହଳ କରୁଥିବା ବେଳେ ଜଣେ ଛାତ୍ରଙ୍କର ଗୋଡଟି ଦୁଇ ଖଣ୍ଡ ହୋଇଯାଇଛି।

ସୂଚନା ଅନୁଯାୟୀ, ରାମଚନ୍ଦ୍ର ପୁର ପଂଚାୟତ ପଣସପୁର ଗ୍ରାମର ଶରତ ସାହୁଙ୍କ କଲେଜ୍ ପଢୁଆ ପୁଅ ରାଜା ସାହୁ (୧୮) ବିଲକୁ ମୁଗ ବୁଣିବା ପାଇଁ ଯାଇଥିଲେ। ସେ ଟ୍ରାକ୍ଟରର ରୋଟରରେ ହଳ କରୁଥିବା ବେଳେ ଏକ ବଡ ଅଘଟଣ ଘଟିଯାଇଥିଲା। ହଠାତ ରୋଟର ମେସିନ୍ ଉପରେ ରାଜା ପଡି ଯାଇଥିଲେ। ଫଳରେ ରୋଟର ମେସିନ୍ ରେ ତାଙ୍କର ବାମ ଗୋଡଟି ପଶି ଯାଇଥିଲା। ରାଜା ସାହୁଙ୍କର ଵିତ୍କାର ଶୁଣି ନିକଟରେ ହଳ କରୁଥିବା ଅନ୍ୟ ଚାଷୀମାନେ ଦଉଡି ଆସିଥିଲେ। ବହୁ ଚେଷ୍ଟା କରିବା ପରେ ରୋଟର ମଧ୍ୟରୁ ରାଜା ସାହୁଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ରାଜାଙ୍କ ଗୋଡ ଛିଣ୍ଡି ଯାଇଥିଲା। ପରେ ଛିଣ୍ଡି ଯାଇଥିବା ଗୋଡକୁ ଏକ ବ୍ୟାଗରେ ଭର୍ତ୍ତି କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଗୁରୁତର ରାଜାଙ୍କୁ କଟା ଗୋଡ ସହ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ରାଜା ସାହୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ +୩ ର ୨ୟ ବର୍ଷର ଛାତ୍ର ବୋଲି ଜଣା ପଡିଛି। ସେ ଭୁବନେଶ୍ୱରରେ ପାଠ ପଢୁଥିଲେ। ଗାଁକୁ ଆସିଲେ ସେ ନିଜ ଜମିରେ ଚାଷ କାମକରିବାକୁ ଭଲ ପାଉଥିଲେ। ତେଣୁ ଗୁରୁତର ଛାତ୍ରଙ୍କୁ ସରକାରୀ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ପକ୍ଷୀ ଶିକାର ବନ୍ଦ ପାଇଁ ‘ପ୍ରେରଣା’ ପକ୍ଷରୁ ଆସନ୍ତା ୨୭ରେ ହେବ ମାସ୍କେଟ ଉନ୍ମୋଚନ ଉତ୍ସବ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତ୍ତମାନ ପକ୍ଷୀମାନଙ୍କର ଆସିବା ଆରମ୍ଭ ହୋଇଗଲାଣି। ତେଣୁ ଏହି ଅତିଥି ପକ୍ଷୀମାନଙ୍କୁ ଶିକାର ନକରିବା ପାଇଁ ସାମାଜିକ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଜନସଚେତନତା ସୃଷ୍ଟି ଆସନ୍ତା ୨୭ ତାରିଖ ସକାଳ ୮ ଘଟିକାରେ ମାସ୍କେଟ ଉତ୍ସବ ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହେବ।

ସେହିପରି ୯ ଘଟିକା ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ଚିତ୍ର ଅଙ୍କନ ପ୍ରଦର୍ଶନୀ, ୧୦ ଘଟିକା ସମୟରେ ସଭା ପୁରସ୍କାର ବିତରଣ ଉତ୍ସବ, ୧୦.୩୦ ରେ ବୃକ୍ଷ ରୋପଣ ଓ ୧୧ ଘଟିକା ସମୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରେରଣା ଗ୍ରୀନ ଆର୍ମୀର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ତେଣୁ ପ୍ରକୃତିପ୍ରେମି ବିଭିନ୍ନ ପ୍ରତିଯୋଗୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ୱର ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କଠୁ ସୁନା ଗହଣା ଲୁଟ୍: ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ପୁଣି ମାତିଲେ ଜାତୀୟ ରାଜପଥ ଲୁଟେର। ବାଇକ୍ ଆରୋହୀଙ୍କୁ ଟାର୍ଗେଟ୍ କରି ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ବାଇକ୍ ରୁ ପଡି ମହିଳା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଟାଙ୍ଗୀ ଥାନା ହଂସରା ଡିହ ଗ୍ରାମର ରଞ୍ଜୁ ମହାରଣା (୫୦) ବୋଲି ଜଣା ପଡିଛି।

ରଞ୍ଜୁ ଓ ତାଙ୍କ ସ୍ୱାମୀ ରଘୁନାଥ ମହାରଣା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ ଥିବା ଏକ ଅଳଙ୍କାର ଦୋକାନକୁ ନିଜ ପୁଅ ବାହାଘରର ଅଳଙ୍କାର କିଣିବା ପାଇଁ ଯାଇଥିଲେ। ତେବେ କିଣିଥିବା ସମସ୍ତ ସୁନା ଗହଣାକୁ ନିଜ ଭ୍ୟାନିଟ୍ ବ୍ୟାଗରେ ପୁରାଇ କୁହୁଡିରୁ ଏନଏଚ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୁତ୍ତ ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଟାର୍ଗେଟ୍ କରିଥିଲେ। ଆଖି ପିଛୁଳାକେ ଭ୍ୟାନିଟ୍ ବ୍ୟାଗ୍ ସହ ସୁନା ଗହଣା ଝାମ୍ପି ଲୁଟେରା ଫେରାର ହୋଇ ଯାଇଥିଲେ।

ଫଳରେ ଭାରସାମ୍ୟ ହରାଇ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ରଞ୍ଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଜାତୀୟ ରାଜପଥରେ ପୋଲିସ୍ ପାଟ୍ରୋଲିଂ ବଢାଇବାକୁ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀରେ ହଣାକଟା: ୨ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀ ଥାନା ବଡପାରୀ ଗ୍ରାମରେ ହଣା କଟା ହୋଇଛି। ଯେଉଁଥିରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି।

ଗୁରୁତର ଦୁଇ ମହିଳା ବଡପାରୀ ଗ୍ରାମର ଦୀପା ସେଠୀ (୨୫) ଏବଂ ପ୍ରଭାତି ସେଠୀ (୪୫)। ଘରୋଇ କଳିକୁ କେନ୍ଦ୍ର କରି ଉକ୍ତ ଆକ୍ରମଣ ହୋଇଥିବା କୁହାଯାଉଛି। ପୋଲିସ୍ ଟାଙ୍ଗୀ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଥିବାର ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି l

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ବୋଝେଇ ଗାଡ଼ିକୁ ଜବତ କଲା ଟାଙ୍ଗୀ ପୋଲିସ, ଛଅ ଜୀବନ୍ତ ଗାଈ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ। ସୂଚନା ମୁତାବକ ପାଟ୍ରୋଲିଂ ସମୟରେ ଭୂଷଣ୍ଡପୁର ଅଞ୍ଚଳ ଆଡକୁ ଦୃତ ଗତିରେ ଏକ ଗୋରୁ ବୋଝଇ ପିକ ଅପ ଭ୍ୟାନଟି ଯାଉଥିବାର ଟାଙ୍ଗୀ ପୋଲିସ ଦେଖିବାକୁ ପାଇଥିଲା। ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପାଟ୍ରୋଲିଂ ଗାଡ଼ିଟି ଉକ୍ତ ସନ୍ଦିଗ୍ଧ ଗାଡିର ପିଛା କରିଥିଲା। କିଛି ବାଟ ଅତିକ୍ରମ କଲା ପରେ ଗାଡ଼ି ଚାଳକ ଗାଡିକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲା।

ପୋଲିସ ଗାଡିକୁ ଜବତ କରିବା ସହ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିଛି। ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନା ପୋଲିସ କେସ ନମ୍ବର ୪୪୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ସିଝୁଆ ସ୍ଥିତ ଗୋଶାଳାକୁ ଜିମା ଦେଇଥିବାର ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନା ଥାଉ କି ରାକ୍ଷୀ ପୂର୍ଣ୍ଣିମା ଦିନ ଟାଙ୍ଗୀ ପୋଲିସ ୧୦୧ ଗୋରୁଙ୍କୁ ଉଦ୍ଧାର କରିଥିଲା।

Categories
ଆଞ୍ଚଳିକ

ଟାଙ୍ଗୀ : ନଦୀରେ ବୁଡ଼ି ଛାତ୍ର ମୃତ, ସାରା ଅଞ୍ଚଳରେ ଶୋକର ଛାୟା

ଟାଙ୍ଗୀ, (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଶୌଚ ହେବାକୁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଛାତ୍ର। ସୂଚନା ମୁତାବକ ଟାଙ୍ଗୀ ଥାନା ପାରିଓରଡ ଗ୍ରାମରେ ବାସ କରୁଥିବା ପ୍ରଦୀପ କୁମାର ଶାସମଲଙ୍କ ପୁତ୍ର ଆଶିଷ କୁମାର ଶାସମଲ(୧୪), ନବମ ଶ୍ରେଣୀରେ ପଢୁଥିଲେ।

ତେବେ ଆଜି ଅପରାହ୍ନରେ ଆଶିଷ ନିଜ ଗ୍ରାମରେ ଘରୋଇ ଟ୍ୟୁସନ ପାଇଁ ଯାଇଥିବା ବେଳେ ଶୌଚ ପାଇଁ ସାଙ୍ଗମାନଙ୍କ ସହ ନିକଟସ୍ଥ କୁସୁମୀ ନଦୀକୁ ଯାଇଥିଲେ। ନଦୀ ଜଳରେ ଶୌଚ ହେବା ସମୟରେ ହଠାତ ଆଶିଷ ନଦୀର ଗଭୀର ଜଳରେ ଭାସିଯାଇଥିଲେ ଏବଂ ହୁଳହୁଳା ଗଣ୍ଡରେ ବୁଡ଼ି ଯାଇଥିଲେ।

ଅନ୍ୟ ଛାତ୍ରମାନେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେବା ପରେ ଗ୍ରାମବାସୀ ଦିର୍ଘ ସମୟ ଧରି ହୁଳୁହୁଳା ଗଣ୍ଡରେ ଖୋଜିବାପରେ ଆଶିଷଙ୍କୁ ଠାବ କରିଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Categories
ଆଞ୍ଚଳିକ

ଚଣ୍ଡେଶ୍ୱର : ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଟାଙ୍ଗୀ ଥାନା ଲକ୍ଷ୍ମୀଧରପୁର ଗ୍ରାମର ଦାଶରଥୀ ପଲେଇ(୩୮)।

ଗତ କାଲି ରାତିରେ ଦାଶରଥୀ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଚଣ୍ଡେଶ୍ୱର ଛକରେ ଏକ ଦ୍ରୁତ ଗାମୀ କାର୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦାଶରଥୀଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ ୧୬ ନଂ ଜାତୀୟ ରାଜପଥକୁ କିଛି ସମୟ ଧରି ଅବରୋଧ କରିଥିଲେ। ଟାଙ୍ଗୀ ଥାନା ପୋଲିସ୍ ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା। ପୋଲିସ୍ ଶବ ଜବତ କରି ଆଜି ଖୋର୍ଦ୍ଧା ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇବ। ଏନେଇ ଟାଙ୍ଗୀ ଥାନାରେ କେଶ ନମ୍ବର ୪୦୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ।

Categories
ଆଞ୍ଚଳିକ

ଜଙ୍କିଆ ଥାନାଧିକାରୀଙ୍କ ବଦଳିରେ ଖୁସି ମନାଇଲେ ଖଣି ମାଫିଆ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ। ଗତକାଲି ତାଙ୍କର ଟାଙ୍ଗୀ ଥାନାକୁ ବଦଳି ହେବା ଖବର ପ୍ରଚାର ହେବା ପରେ ଜଙ୍କିଆରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବହୁ ଖଣି ମାଫିଆମାନେ ଶ୍ରୀ ବିଶ୍ୱାଳଙ୍କ ବଦଳିରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି। ତେବେ ଏହା ପଛରେ ଅନେକ କାରଣ ଥିବା  କୁହାଯାଉଛି।

ଯେତେବେଳେ ଶ୍ରୀ ବିଶ୍ଵାଳ ନୂତନ ଆଇଆଇସି ଭାବେ ଜଙ୍କିଆ ଥାନାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ମାତ୍ର ୭ ମାସ ମଧ୍ୟରେ ଜଙ୍କିଆ ଥାନା ଅଞ୍ଚଳରେ ଥିବା ଖଣି ମାଫିଆମାନଙ୍କ ନିଦ ହଜାଇଦେଇଥିଲେ। ପ୍ରତିଦିନ ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ଏକାଧିକ ଗାଡ଼ି ଜବତ କରିଥିଲେ। ଫଳ ସ୍ୱରୂପ କିଛି ଖଣି ମାଫିଆ ନିଜ ଗାଡ଼ି ବିକ୍ରି କରିଦେଉଥିବା ବେଳେ ଆଉ କିଛି ମାଫିଆ ମାନେ ନିଜ ନିଜ ଗାଡ଼ିକୁ ଘରେ ରଖିଦେଇଥିବାର ଶୁଣିବାକୁ ମିଳୁଥିଲା। ଜଣେ ସଚ୍ଚୋଟ, କର୍ତ୍ତବ୍ୟ ପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ଶ୍ରୀ ବିଶ୍ଵାଳ ବେସ୍ ଜଣାଶୁଣା।

ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ। ଏପରିକି ବାଣପୁର ଥାନାରୁ ବଦଳି ଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା। ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ସେହିପରି ଭାବେ ବର୍ତ୍ତମାନ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ କଟକ ଜିଲ୍ଲାକୁ ବଦଳି ହୋଇଥିବାବେଳେ ଟାଙ୍ଗୀରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ନୂତନ ଆଇଆଇସି ଶ୍ରୀ ବିଶ୍ୱାଳଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ହତ୍ୟା ଅଭିଯୋଗ, ସ୍ଵାମୀ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଶୁଣାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳା ଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ମାତ୍ର କିଛି ଦିନ ପରେ ପିଙ୍କିଙ୍କ ଉପରେ ସ୍ୱାମୀ ଦୀପକ ବେହେରା ଅତ୍ୟାଚାର ଆରମ୍ଭ କରିଥିବା ଅଭିଯୋଗ ହେଉଥିଲା। ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିଲା। ଗତ କାଲି ରାତିରେ ନବ ବଧୁର ମୃତ ଦେହ ଶୋଇବା ଘରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏ ନେଇ ମୃତକଙ୍କ ଭାଉଜ ଟାଙ୍ଗୀ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ପରେ ସ୍ୱାମୀ ଦୀପକ ବେହେରାଙ୍କୁ ପୋଲିସ ଅଟକ ରଖିଛି।

ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସ୍ୱାମୀ ଦୀପକ କୌଣସି କାମ ଧନ୍ଦା ନକରି ଗାଁରେ ଜୁଆ ଖେଳି ଆସୁଥିଲା। ଫଳରେ ସ୍ତ୍ରୀର ଜିନିଷ ପତ୍ର ବିକା ଭଙ୍ଗା କରି ଖର୍ଚ୍ଚ କରୁଥିଲେ। ତେଣୁ ପରିଵାର ଭିତରେ ସଦା ସର୍ବଦା ଝଗଡା ଲାଗିରହୁଥିଲା।

ଗତ ୩ ଦିନ ତଳେ ଘରୁ ଏକ ମୋବାଇଲ ଫୋନ୍ ବନ୍ଧା ପକାଇବାକୁ କେନ୍ଦ୍ର କରି ଘରେ ତୁମୁଳ ସଂଘର୍ଷ ଲାଗିଥିବାର ଶୁଣିବାକୁ ମିଳିଥିଲା। ତେଣୁ ଏହି କାରଣରୁ ଗତ କାଲି ଏଭଳି ଅଘଟଣ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେଣୁ ପୋଲିସ୍ ର ଅନୁସନ୍ଧାନ ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ଟାଙ୍ଗୀ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମାଛ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସାଇକେଲ ଆରୋହୀଜଣଙ୍କ ୧୬ ନଂ ଜାତୀୟ ରାଜପଥରେ ଚାନ୍ଦପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ଖବର ଅନୁଯାୟୀ, ଟାଙ୍ଗୀ ଥାନା ସୋରଣ ଭଗବତୀ ପୁର ବଡ଼ଡ଼ିହ ଗ୍ରାମର ସର୍ବେଶ୍ୱର ସାହୁ (୪୦) ଚାନ୍ଦପୁର ପରିଵା ଗଦିରେ କୀରାଣି ଭାବେ କାମ କରୁଥିଲେ। ସାଇକେଲରେ ଚାନ୍ଦପୁର ଯାଉଥିଲେ। ସଵୁ ଦିନ ଭଳି ଆଜି ମଧ୍ୟ ସର୍ବେଶ୍ଵର ନିଜ ଗାଁ ସୋରଣରୁ ବାହାରି ଚାନ୍ଦପୁର ପରିଵା ଗଦିକୁ ଯାଉଥିଲେ। କିନ୍ତୁ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ଛକ ସାତ ଶଙ୍ଖ ନିକଟରେ ଏକ ମାଛ ବୋଝେଇ କଂଟେନର ସର୍ବେଶ୍ୱରଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏବଂ ମାଛ ବୋଝେଇ କଂଟେନରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ଶବ ଉଠାଇବା ପରେ ରାସ୍ତାରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା। ଫେରାର ହୋଇଥିବା ଗାଡିକୁ ଧରିବା ପାଇଁ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ଦେଖାଇ ଲୁଟ୍ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ: ଦୁର୍ଦ୍ଦାନ୍ତ ଅପରାଧୀ ଦ୍ଵୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡ ପୁର ରେଳବାଇ ଫାଟକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖାଇ ସମ୍ପୃକ୍ତ ବ୍ୟବସାୟଙ୍କ ଠାରୁ ୩୪ ହଜାର ଟଙ୍କା ଛଡାଇ ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଦୁର୍ବୃତ୍ତ ଦ୍ୱୟ ଧରା ପଡିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ଠାରୁ ଖସିଜୀବା ପାଇଁ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ।

ସୂଚନା ଅନୁଯାୟୀ, ଗତ କାଲି ବଡି ଭୋରରେ ଭୁଷଣ୍ଡପୁର ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ୩୪ ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ପୂର୍ଣ୍ଣଚନ୍ଦ୍ର ସେଠାରେ ଚିତ୍କାର କରିବାରୁ ଦୁର୍ବୃତ୍ତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ସେଠାରୁ ଦୁର୍ବୃତ୍ତ ଦ୍ୱୟ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଟାଙ୍ଗି ପୋଲିସ୍ ପାଟ୍ରୋଲିଂ ଗାଡି ପହଂଚି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏମାନଙ୍କ ନାମରେ ପୂର୍ବରୁ ଚାନ୍ଦପୁର ଥାନାରେ ୭ ରୁ ଅଧିକ ଡକାୟତି ମାମଲା ରହିଛି। ଗିରଫ ରାଜା ଚାନ୍ଦପୁର ଥାନା ଅଂଚଳରେ ବିଭନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ୍ ତାକୁ ଧରିବାରେ ସଫଳ ହୋଇପାରୁନଥିଲା।

ଗତ କିଛି ଦିନ ତଳେ ରାଜା ଚାନ୍ଦପୁର ବଜାରରେ ଥିବା ଏକ ମଦ ଦୋକାନ ନିକଟରେ ଗୁଳି ଫୁଟାଇ ଭୟଭୀତ କରିବା ସହ କନ୍ଧ ନୟାଗଡ ଆରଏସଏସ କାର୍ଯ୍ୟାଳୟ ଉପରକୁ ଗୁଳି ଚଳାଇ ଆତଙ୍କ ସ୍ରୁସୃଷ୍ଟି କରୁଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ରାଜାକୁ ଟାଙ୍ଗୀ ପୋଲିସ୍ ଗିରଫ କରିବା ପରେ ଚାନ୍ଦପୁର ଅଂଚଳରେ ଲୋକେ ଖୁସି ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଏବଂ ନକଦ ୩୪ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଦ୍ୱୟ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ମଧୁବନ ସାହିର ନିଶିକାନ୍ତ ଓରଫ ରାଜା ବେହେରା (୨୮ ବର୍ଷ) ଏବଂ ଆଉ ଜଣେ ବାଲୁଗାଁର ଉଦ୍ଧବ ବେହେରା (୨୫ ବର୍ଷ) ବୋଲି ଜଣାପଡିଛି। ଟାଙ୍ଗୀ ମେଡିକାଲରେ ଗିରଫ ରାଜାର ଚିକିତ୍ସା ଜାରି ରହିଛି।

ଟାଙ୍ଗୀ ଆଇଆଇସି ବିଜୟ ମଲିକ ଏହାର ତଦନ୍ତ ଜାରି ରଖିଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଅଭିଯୁକ୍ତଙ୍କ ନାମରେ ଟାଙ୍ଗୀ ଥାନାରେ କେସ ନଂ ୨୪୬/୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ଚାଲାଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବେଆଇନ ଗୋରୁ ଚାଲାଣ ମାଫିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୋଲିସ ହାତରେ ଧରା ପଡ଼ିଛି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିଲା।

ତେବେ ଆଜି ସକାଳେ ଉକ୍ତ ମାଫିଆ ଗ୍ୟାଙ୍ଗର କିଙ୍ଗପିନ ନେହେରୁ ଖାନ(୩୭ )ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଟାଙ୍ଗୀ ଥାନା ତାଙ୍କ ବିରୋଧରେ କେସ ନମ୍ବର ୧୨୬/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଘଟଣାର ଲିଙ୍କ ସାରା ରାଜ୍ୟରେ କେଉଁଠି କେଉଁଠି ଅଛି ତାହାର ଅନୁସନ୍ଧାନ ପୋଲିସ ଜାରି ରଖିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ବଡ଼ି ଭୋରରୁ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ବାଲୁଗାଁ ଏସଡ଼ିପିଓ କୁହୁଡି ଛକରୁ ଏକ ବେଆଇନ ଗୋରୁ ଚାଲାଣ ହେଉଥୁବା ବୋଲେରୋ ପିକ ଅପ ଭ୍ୟାନକୁ ଧରି ତନ୍ମଧ୍ୟରୁ ୧୦ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡି ଡ୍ରାଇଭର ସାଜିଦ ଖାନଙ୍କୁ ଗିରଫ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ: ଲୁଟ୍ ର ଚିତ୍ର ସିସି କ୍ୟାମେରାରେ କଏଦ୍

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ଵରର ଚଣ୍ଡିହରଦେବଙ୍କ ମନ୍ଦିରରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ହେଲେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରୀ କରୁଥିବା ଘଟଣା ଉତ୍ତୋଳନ ହୋଇଛି। ୪ ଜଣ ଲୁଟେରା ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରୀ କରୁଥିବାର ସିସିଟିଭିରେ ସ୍ପଷ୍ଟ ଦେଖାଯାଇଛି। ୨ ଜଣ  ଲୁଟେରା ମନ୍ଦିର ଫାଟକ ମୁହଁରେ ଜଗି ରହିଥିବା ବେଳେ ଅନ୍ୟ ୨ ଜଣ  ଲୁଟେରା ହୁଣ୍ଡିର ତାଲା ଭାଙ୍ଗି ଲକ୍ଷାଧୀକ ଟଙ୍କା ଲୁଟିନେଉଥିବ‍ର ଚିତ୍ର କ୍ୟାମେରାରେ କଏଦ ହୋଇଛି।

ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ  ଜାରି ରଖିଛି। ତେବେ  ଏହି ଲୁଟ୍ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଜାତୀୟ ରାଜପଥରେ ଓଲଟିଲା ରଙ୍ଗ ବୋଝେଇ ପିକଅପ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜାତୀୟ ରାଜପଥରେ ରଙ୍ଗ ବୋଝେଇ ପିକଅପ ଗାଡି ଓଲଟି ପଡିଥିବାର ଦେଖିବାକୁ ମିଳିଛି। ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡପାରୀ ଓଭରବ୍ରିଜ ନିକଟରେ ଏଭଳି ଏକ ଦୁର୍ଘଟଣା ଘାଟିଯାଇଛି।

ସୂଚନା ଯୋଗ୍ୟ ଯେ, ରଙ୍ଗ ବୋଝେଇ ପିକଅପଟି କଟକରୁ ରଙ୍ଗ ନେଇ ଆସିକା ଯାଉଥିବା ବେଳେ ଏକ ଟ୍ରକ ପିକଅପକୁ ସାଇଟ ମାରିଦେବାରୁ ପିକଅପଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଓ ହେଲ୍ପରଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ହେଲେ ଦୁର୍ଘଟଣା କରାଇଥିବା ଟ୍ରକ ଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହତ୍ୟା ନା ଆତ୍ମହତ୍ୟା: ଟାଙ୍ଗୀରେ ରେଲ୍‌ୱେ ଟ୍ରାକ୍‌ରୁ ମା’ ଝିଅର ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା: ରେଲ୍‌ୱେ ଟ୍ରାକ୍‌ରୁ ମା ଆଉ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ। ଉଭୟଙ୍କ ମୃତଦେହ ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗାଁ ନିକଟରେ ଥିବା ରେଲ୍‌ୱେ ଟ୍ରାକ୍‌ରୁ ପଡ଼ିଥିଲା।

ଟ୍ରେନ୍‌ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ।

ତେବେ ପାରିବାରିକ କଳହ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ଶ୍ଵଶୁର କହିଛନ୍ତି। ସେପଟେ ମହିଳାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରି ରେଲ୍‌ୱେ ଟ୍ରାକ୍‌ ରେ ଫିଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ବୋଲି ଜଣାପଡିଛି।