ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ଟାଙ୍ଗୀ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

Published: Nov 21, 2021, 7:24 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମାଛ ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସାଇକେଲ ଆରୋହୀଜଣଙ୍କ ୧୬ ନଂ ଜାତୀୟ ରାଜପଥରେ ଚାନ୍ଦପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ଖବର ଅନୁଯାୟୀ, ଟାଙ୍ଗୀ ଥାନା ସୋରଣ ଭଗବତୀ ପୁର ବଡ଼ଡ଼ିହ ଗ୍ରାମର ସର୍ବେଶ୍ୱର ସାହୁ (୪୦) ଚାନ୍ଦପୁର ପରିଵା ଗଦିରେ କୀରାଣି ଭାବେ କାମ କରୁଥିଲେ। ସାଇକେଲରେ ଚାନ୍ଦପୁର ଯାଉଥିଲେ। ସଵୁ ଦିନ ଭଳି ଆଜି ମଧ୍ୟ ସର୍ବେଶ୍ଵର ନିଜ ଗାଁ ସୋରଣରୁ ବାହାରି ଚାନ୍ଦପୁର ପରିଵା ଗଦିକୁ ଯାଉଥିଲେ। କିନ୍ତୁ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ଛକ ସାତ ଶଙ୍ଖ ନିକଟରେ ଏକ ମାଛ ବୋଝେଇ କଂଟେନର ସର୍ବେଶ୍ୱରଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏବଂ ମାଛ ବୋଝେଇ କଂଟେନରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ଶବ ଉଠାଇବା ପରେ ରାସ୍ତାରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା। ଫେରାର ହୋଇଥିବା ଗାଡିକୁ ଧରିବା ପାଇଁ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Related posts