ଗୋରୁ ଚାଲାଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କଲା ଟାଙ୍ଗୀ ପୋଲିସ

Published: Apr 19, 2021, 10:49 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବେଆଇନ ଗୋରୁ ଚାଲାଣ ମାଫିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୋଲିସ ହାତରେ ଧରା ପଡ଼ିଛି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିଲା।

ତେବେ ଆଜି ସକାଳେ ଉକ୍ତ ମାଫିଆ ଗ୍ୟାଙ୍ଗର କିଙ୍ଗପିନ ନେହେରୁ ଖାନ(୩୭ )ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଟାଙ୍ଗୀ ଥାନା ତାଙ୍କ ବିରୋଧରେ କେସ ନମ୍ବର ୧୨୬/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଘଟଣାର ଲିଙ୍କ ସାରା ରାଜ୍ୟରେ କେଉଁଠି କେଉଁଠି ଅଛି ତାହାର ଅନୁସନ୍ଧାନ ପୋଲିସ ଜାରି ରଖିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ବଡ଼ି ଭୋରରୁ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ବାଲୁଗାଁ ଏସଡ଼ିପିଓ କୁହୁଡି ଛକରୁ ଏକ ବେଆଇନ ଗୋରୁ ଚାଲାଣ ହେଉଥୁବା ବୋଲେରୋ ପିକ ଅପ ଭ୍ୟାନକୁ ଧରି ତନ୍ମଧ୍ୟରୁ ୧୦ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡି ଡ୍ରାଇଭର ସାଜିଦ ଖାନଙ୍କୁ ଗିରଫ କରିଥିଲେ।

Related posts