Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପୁଣି ସକ୍ରିୟ ହେଲେ ଗୋରୁ ମାଫିଆ: ଗାଡି ସମେତ ଦୁଇ ଅଟକ, ୭ ଜୀବନ୍ତ ଗାଈଙ୍କୁ ଉଦ୍ଧାର କଲା ବାଘମାରୀ ପୋଲିସ

ଖୋର୍ଦ୍ଧା:  କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କମିଥିବାବେଳେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ନାଚୁଣୀରୁ ୪ ଗୋଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବାବେଳେ ଆଜି ପୁଣି ୭ ଗୋଟି ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି। ଏହା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ଆଜି ସଂଧ୍ୟାରେ ଏକ ବେଆଇନ ଗୋରୁ ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ସୂଚନା ମିଳିଥିଲା। ଗୋରୁ ବୋଝେଇ ଟାଟା ଏସି ଗାଡ଼ି (ଓଡ଼ି-୦୨-୧୪୦୯) କଟକ ଜିଲ୍ଲା ବାଙ୍କୀ ଥାନା ନରଗଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତରତୁଆ ଗ୍ରାମକୁ ଯାଉଥିବାର ଆଇଆଇସିଙ୍କୁ ଖବର ମିଳିଥିଲା। ବିଳମ୍ବ ନକରି ତୁରନ୍ତ ଆଇଆଇସି ଏବଂ ଟିମ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରଖିଥିଲେ। ପରିଶେଷରେ ସାରୁଅ ବ୍ରିଜ ନିକଟରୁ ଉକ୍ତ ଗାଡିକୁ ପୋଲିସ ଠାବ କରିଥିଲା। ଉକ୍ତ ଗାଡ଼ିରୁ ୭ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରାଯାଇଛି।

ଅନୁରୂପ ଭାବେ ଗାଡ଼ି ଚାଳକ ମୁନିର ଖାନ (୨୦) ଏବଂ ହେଲ୍ପର ଇନାମ ଖାନ (୩୫) ଙ୍କୁ ପୋଲିସ ଅଟକ ରଖିବା ସହ ଗାଡ଼ି ଟିକୁ ଜବତ କରିଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ବାଘମାରି ଥାନାରେ କେସ ନମ୍ବର ୫୧/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସ ଜବତ କଲା ଗୋରୁ ବୋଝେଇ କଣ୍ଟେନର: ଉଦ୍ଧାର କଲା ୬୯ ଗାଈ, ଜଣେ ଗିରଫ

ସୀତାରମ ଅଗ୍ରୱାଲ

ଟାଙ୍ଗୀ: ବର୍ତ୍ତମାନ ବେଆଇନ ଗୋରୁ ଚାଲାଣକାରୀଙ୍କ ହବ ଖୋର୍ଦ୍ଧା ଜିଲ୍ଲା ପାଲଟିଥିବା ବେଳେ ଗୋମାଫିଆଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଗତ ଏକ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଦ୍ୱାରା ଶତାଧିକ ଗୋରୁ ଉଦ୍ଧାର ହୋଇଥିବାବେଳେ ଗତକାଲି ଏକାକୀ ଟାଙ୍ଗୀ ପୋଲିସ ପାଖାପାଖି ୬୯ ଗୋରୁଙ୍କୁ ଉଦ୍ଧାର କରିଛି। ଏବଂ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଏକ ବଡ଼ କଣ୍ଟେନରରେ ଏକାଧିକ ଗୋରୁଚାଲାଣ ହେଉଥିବାର ଖବର କୌଣସିସୂତ୍ରରୁ ଗତକାଲି ବାଲୁଗାଁ ଏସଡ଼ିପିଓ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ପାଖାପାଖି ରାତି ୧୨ ଘଟିକାରେ ଉକ୍ତ ଟିମ ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଦୀକ୍ଷିତପଡ଼ା ଗ୍ରାମରୁ ଜବତ କରିଥିଲା। ଉକ୍ତ କଣ୍ଟେନରରୁ ୬୯ ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଗାଡି ଚାଳକଙ୍କୁ ଗିରଫ କରିଛି। ୬୯ ଗୋରୁଙ୍କ ମଧ୍ୟରୁ ୧୬ ଟି ଗୋରୁ ମୃତ ହୋଇଥିବା ବେଳେ ଅବଶିଷ୍ଟ ଗୋରୁଙ୍କୁ କଟକ ଚୌଦ୍ଵାର ନନ୍ଦ ଗାଁ ଗୋଶାଳକୁ ପୋଲିସ ଜିମା ଦେଇଛି। ତେବେ ମୃତ ଗୋରୁଙ୍କ ପୋଲିସ ଅନ୍ତିମ ସଂସ୍କାର କରିଛି।

ଏସଂକ୍ରାନ୍ତରେ ଟାଙ୍ଗୀ ପୋଲିସ କେସ ନମ୍ବର ୧୯୪/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଟାଙ୍ଗୀ ପୋଲିସ ଦ୍ୱାରା ଏତେ ପରିମାଣରେ ଗୋରୁ ଉଦ୍ଧାର ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘଟଣା।

ସୂଚନା ଥାଉକି ଟାଙ୍ଗୀ ଥାନାରେ ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକ ଯୋଗଦେବା ପରଠାରୁ ଉକ୍ତ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଲଗାମ ଲାଗୁଥୁବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା: ଉଦ୍ଧାର ହେଲେ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ୪୫ଟି ଗୋରୁ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ସେଥିରେ ୪୫ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଛି।

ସୂଚନା ମୁତାବକ, କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଟିମ୍ ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ତେବେ ପାଖାପାଖି ରାତି ୨ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୀକ୍ଷିତପଡ଼ାରୁ ଏକ ଗାଈ, ଷଣ୍ଢ ବୋଝେଇ କଣ୍ଟେନର ବାହାରି କୋଲକାତାର ଏକ କଂସେଇଖାନା ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ ଦ୍ୱାରା ଧରା ପଡିଥିଲା।

ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୧୧/୨୧ ରେ ମାମଲା ରୁଜୁ କରିଛି। ଗାଡ଼ି ଡ୍ରାଇଭର ଜଣଙ୍କ ଧାମନଗର ଅଞ୍ଚଳର ଶେଖ ହାଇଦର ବୋଲି ଜଣାପଡିଛି। ଅପରପକ୍ଷରେ ଉଦ୍ଧାର ହୋଇଥିବା ୪୫ ଟି ଗୋରୁଙ୍କୁ ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ଏକ ସାମାଜିକ ଅନୁଷ୍ଠାନର ଜିମ୍ମା ଦିଆଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ପଟ୍ଟନାୟକ। ଉକ୍ତ ରେଡରେ ଖୋର୍ଦ୍ଧା ଟାଉନ ଥାନା ଏସଆଇ ବିଜୟ ବେହେରା, ପଦ୍ମଲୋଚନ ବେହେରା ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ଚାଲାଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବେଆଇନ ଗୋରୁ ଚାଲାଣ ମାଫିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୋଲିସ ହାତରେ ଧରା ପଡ଼ିଛି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିଲା।

ତେବେ ଆଜି ସକାଳେ ଉକ୍ତ ମାଫିଆ ଗ୍ୟାଙ୍ଗର କିଙ୍ଗପିନ ନେହେରୁ ଖାନ(୩୭ )ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଟାଙ୍ଗୀ ଥାନା ତାଙ୍କ ବିରୋଧରେ କେସ ନମ୍ବର ୧୨୬/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଘଟଣାର ଲିଙ୍କ ସାରା ରାଜ୍ୟରେ କେଉଁଠି କେଉଁଠି ଅଛି ତାହାର ଅନୁସନ୍ଧାନ ପୋଲିସ ଜାରି ରଖିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ବଡ଼ି ଭୋରରୁ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ବାଲୁଗାଁ ଏସଡ଼ିପିଓ କୁହୁଡି ଛକରୁ ଏକ ବେଆଇନ ଗୋରୁ ଚାଲାଣ ହେଉଥୁବା ବୋଲେରୋ ପିକ ଅପ ଭ୍ୟାନକୁ ଧରି ତନ୍ମଧ୍ୟରୁ ୧୦ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡି ଡ୍ରାଇଭର ସାଜିଦ ଖାନଙ୍କୁ ଗିରଫ କରିଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ବେଆଇନ ଗୋରୁ ଚାଲାଣ ରୋକିବାକୁ ବାଲୁଗାଁ ଏସଡିପିଓଙ୍କୁ ଦାବି ଜଣାଇଲା ବଜରଙ୍ଗ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧିକୁ ନେଇ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ଚିନ୍ତା ପ୍ରକଟ କରିଛି। ଗୋରୁଙ୍କ ସୁରକ୍ଷା ପାଇଁ ବଜରଙ୍ଗ ଦଳ ଆଜି ବାଲୁଗାଁ ଏସଡିପିଓ ମନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ହିନ୍ଦୁ ସଂସ୍କୃତି ହେଉଛି ବିଶ୍ଵର ସର୍ବ ପୁରାତନ ସଂସ୍କୃତି। ହିନ୍ଦୁମାନେ ଗାଈଙ୍କୁ ଦେବତା ରୂପେ ପୂଜା କରନ୍ତି। ତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ। ଗାଈଙ୍କଠାରୁ ମନୁଷ୍ୟ ସମାଜ ସବୁକିଛି ପାଇଥାଏ। ମନୁଷ୍ୟର ଦୈନଦିନ ଜୀବନରେ ଗାଈର କ୍ଷୀରଠାରୁ ଆରମ୍ଭ କରି ଗୋବର ପର୍ଯ୍ୟନ୍ତ ସବୁ ଜିନିଷ କାମରେ ଆସିଥାଏ।

ଏଇ ସଂସାରରେ ଗାଈ ଏମିତି ଏକ ଜନ୍ତୁ, ଯିଏ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଅମ୍ଳଜାନ ମଧ୍ୟ ତ୍ୟାଗ କରିଥାଏ। ଗାଈର ମୁତ୍ରରେ ଏକ ଔଷଧୀୟ ଗୁଣ ଥାଏ, ଯାହା କର୍କଟ ପରି ମାରାତ୍ମକ ରୋଗ ଦାୟୁରୁ ଲୋକଙ୍କୁ ରକ୍ଷା କରାଯାଇପାରେ ବୋଲି ମଧ୍ୟ ଦାବି କରାଯାଏ।

ହେଲେ ଏହି ଅଞ୍ଚଳରେ ଗୋରୁ ଚାଲାଣ କରାଯାଇ ପଶ୍ଚିମବଙ୍ଗ ଦେଇ ବଙ୍ଗଳାଦେଶକୁ ଯାଉଥିବା ବଜରଙ୍ଗ ଦଳ ପୋଲିସ ନିକଟରେ ଅଭିଯୋଗ କରିଛି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବହୁମାତ୍ରାରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ହୋଇ ବଙ୍ଗଳାଦେଶକୁ ଯାଉଛି। ଯେତେବେଳେ ସେମାନଙ୍କର କାର୍ଯ୍ଯକର୍ତ୍ତା ଖବର ପାଇ ବେଆଇନ ଚାଲାଣ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରନ୍ତି, ସେମାନେ ଗାଡ଼ି ଛାଡି ଚାଲିଯା’ନ୍ତି। ବେଳେବେଳେ ଗୋରୁ ଚାଲାଣକାରୀମାନେ ମଧ୍ୟ ଧାରୁଆ ଆସ୍ତ୍ରରେ ଆକ୍ରମଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖ ରାତି ୧.୨୨ ମିନିଟରେ କିଛି ଦୁର୍ବୃତ୍ତ ଗୋପୀନାଥପୁର ଛକ ନିକଟରେ ବୁଲୁଥିବା ଗୋରୁଙ୍କୁ ଚାଲାଣ କରିବା ଲାଗି ପ୍ରୟାସ କରୁଥିଲେ। ହେଲେ କିଛି ସ୍ଥାନୀୟ ଲୋକ ଏହା ଜାଣି ପାରି ଦୁର୍ବୃତ୍ତଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗିଥିଲେ। ଯାହାଫଳରେ ସେମାନେ ଘଟଣାସ୍ଥଳରୁ ଦୌଡିପଳାଇ ଯାଇଥିଲେ। ଏସବୁ ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ସଂଗଠନ ପ୍ରକାଶ କରିଛି।

ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏଭଳି ବେଆଇନ ଚାଲାଣ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ନିବେଦନ କରିଛି ବଜରଙ୍ଗ ଦଳ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବାଲୁଗାଁ ଏସଡିପିଓ ଏବଂ ବାଲୁଗାଁ ଆଇଆଇସିଙ୍କ ନିକଟରେ ସଂଗଠନ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି।