ଚଣ୍ଡେଶ୍ୱର ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କଠୁ ସୁନା ଗହଣା ଲୁଟ୍: ମହିଳା ଗୁରୁତର

Published: Nov 12, 2022, 10:31 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ପୁଣି ମାତିଲେ ଜାତୀୟ ରାଜପଥ ଲୁଟେର। ବାଇକ୍ ଆରୋହୀଙ୍କୁ ଟାର୍ଗେଟ୍ କରି ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ବାଇକ୍ ରୁ ପଡି ମହିଳା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଟାଙ୍ଗୀ ଥାନା ହଂସରା ଡିହ ଗ୍ରାମର ରଞ୍ଜୁ ମହାରଣା (୫୦) ବୋଲି ଜଣା ପଡିଛି।

ରଞ୍ଜୁ ଓ ତାଙ୍କ ସ୍ୱାମୀ ରଘୁନାଥ ମହାରଣା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ ଥିବା ଏକ ଅଳଙ୍କାର ଦୋକାନକୁ ନିଜ ପୁଅ ବାହାଘରର ଅଳଙ୍କାର କିଣିବା ପାଇଁ ଯାଇଥିଲେ। ତେବେ କିଣିଥିବା ସମସ୍ତ ସୁନା ଗହଣାକୁ ନିଜ ଭ୍ୟାନିଟ୍ ବ୍ୟାଗରେ ପୁରାଇ କୁହୁଡିରୁ ଏନଏଚ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୁତ୍ତ ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଟାର୍ଗେଟ୍ କରିଥିଲେ। ଆଖି ପିଛୁଳାକେ ଭ୍ୟାନିଟ୍ ବ୍ୟାଗ୍ ସହ ସୁନା ଗହଣା ଝାମ୍ପି ଲୁଟେରା ଫେରାର ହୋଇ ଯାଇଥିଲେ।

ଫଳରେ ଭାରସାମ୍ୟ ହରାଇ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ରଞ୍ଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଜାତୀୟ ରାଜପଥରେ ପୋଲିସ୍ ପାଟ୍ରୋଲିଂ ବଢାଇବାକୁ ଦାବି ହେଉଛି।

Related posts