ଖୋର୍ଦ୍ଧା: ଖଣି ମାଫିଆ ଓ ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ

Published: Aug 1, 2022, 8:53 am IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ଏବଂ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢ଼ୁଥିବା ବେଳେ ଏହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। କିଛି ଦିନ ତଳେ ଜିଲ୍ଲାରେ ନିଶା ବେପାର ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଠପ କରିବା ପାଇଁ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାର ନେତୃତ୍ଵ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ନେଉଛନ୍ତି। ଟିମ ଗଠନ ହେବାର ମାତ୍ର ପନ୍ଦର ଦିନ ହୋଇଥିବା ବେଳେ ଏହାର ସୁଫଳ ଜିଲ୍ଲାରେ ଦେଖିବାକୁ ମିଳୁଛି।

ଜିଲ୍ଲାର ଶ୍ରଦ୍ଧାପୂର, କୁମାରବସ୍ତ, ବଡ଼ପୋଖରୀଆ, କମାଗୁରୁ, ଓଳସିଂହ ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ସ୍ୱତନ୍ତ୍ର ଟିମ ନିରନ୍ତର ଭାବେ ଉକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ଜଙ୍କିଆ ଥାନା ଓଳସିଂହ ସ୍ଥିତ ଓରାଙ୍ଗ ଖଣିରେ ଇନ୍ସପେକ୍ଟର ଦାସ ଚଢ଼ାଉ କରି ୩ ଗୋଟି ଜେସିବି, ୪ ଗୋଟି ପାୱାରଟିଲର ଏବଂ ୨ ଗୋଟି ଟ୍ରାକ୍ଟର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏ ସଂକ୍ରାନ୍ତରେ ଜଙ୍କିଆ ଥାନାରେ ଚାରି ଗୋଟି ମାମଲା ରୁଜୁ ହୋଇଛି।

ସୂଚନା ଥାଉକି ଅଦ୍ୟାବଧି ସ୍ୱତନ୍ତ୍ର ଟିମ ଦ୍ୱାରା ଜିଲ୍ଲାରେ ୭ ଗୋଟି ବ୍ରାଉନ ସୁଗାର ମାମଲା ଠାବ ହେବା ସହ ୨୫ ଗୋଟି ଟ୍ରକ ଏବଂ ଟ୍ରାକ୍ଟର, ୮ ଗୋଟି ଜେସିବି ଏବଂ ଏକାଧିକ ଷ୍ଟୋନ କଟର ମେସିନ ଜବତ ହେବା ସହ ୧୦ ରୁ ଉର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଖଣି ମାଫିଆ ଓ ନିଶା ବେପାରିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଏପରି କଠୋର କାର୍ଯ୍ୟାନୁଷ୍ଠାନରେ ଅପରାଧୀଙ୍କ ମନରେ ଛନକା ପଶିଯାଇଛି। ଜିଲାରୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଏବଂ ବ୍ରାଉନ ସୁଗାର ବେପାରକୁ ମୁଳୋତ୍ପାଟନ କରିବା ଦିଗରେ ଜିଲ୍ଲା ପୋଲିସ ଅହରହ କାମ କରୁଛି।

ଅନୁରୂପ ଭାବେ ଯଦି ଜିଲ୍ଲାର କୌଣସି ସ୍ଥାନରେ ବ୍ରାଉନ ସୁଗାର କାରବାର ଅବା ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥୁବାର କେହି ଜିଲ୍ଲାବାସି ଜାଣନ୍ତି ତେବେ ଏ ନେଇ ସଙ୍ଗେସଙ୍ଗେ ଜିଲ୍ଲା ପୋଲିସକୁ ସୂଚନା ଦେବା ପାଇଁ ଏସପି ଅପିଲ କରିଛନ୍ତି।

Related posts