ନାଚୁଣୀ ନିକଟରେ ଖଣି ମାଫିଆ ଏବଂ ବନବିଭାଗ ମୁହାଁମୁହିଁ: ଜବତ ଜେସିବିକୁ ଛଡାଇନେଲେ ସ୍ଥାନୀୟ ଲୋକେ

Published: Jan 31, 2021, 9:53 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳରେ ଖଣି ମାଫିଆଙ୍କ ବେଆଇନ ପଥର କାରବାର ବଢିବାରେ ଲାଗିଛି। ବନ ବିଭାଗ ଏବଂ ତହସିଲଦାରଙ୍କ ନେତୃତ୍ବରେ ବାରମ୍ବାର ଚଢାଉ ହେଉଥିବା ବେଳେ ସେମାନଙ୍କର ଚୋରା କାରବାର କମିବା ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଛି। ଆଇନକୁ ଭ୍ରୂକ୍ଷେପ ନକରି ବେଧଡକ ଭାବେ ଚୋରା କାରବାର ଜାରି ରଖିଛନ୍ତି। ଏଭଳିକି ସେମାନେ ବନବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଛନ୍ତି। କିଛି ମାସ ତଳେ ଟାଙ୍ଗୀ ତହସିଲଦାରଙ୍କୁ କେତେଜଣ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସେହି ବନାଞ୍ଚଳରେ ମଧ୍ୟ କିଛି ଅଘଟଣ ଘଟିଥିବା ଶୁଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ନାଚୁଣୀ ନିକଟସ୍ଥ ଗମେଇଁ ଗ୍ରାମରେ ଥିବା ଜଙ୍ଗଲରେ ଖଣି ମାଫିଆ ବେଆଇନ ମାଙ୍କଡା ପଥର ଖଣିରେ ପଥର କାଟୁଥିବା ନେଇ ଟାଙ୍ଗୀ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏନେଇ ବନ ବିଭାଗର ଏକ ମିଳିତ ଟିମ୍ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ଖଣି ମାଫିଆ ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ହେଲେ ବନ ବିଭାଗ ସେଠାରୁ ଗୋଟିଏ ଜେସିବି ମେସିନକୁ ଜବତ କରିଥିଲା। ଜେସିବିକୁ ଜବତ କରି ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିରୋଧ କରିଥିଲେ। କେବଳ ସେତିକି ନୁହେଁ ବଳ ପୂର୍ବକ ବନ ବିଭାଗ ହାତରୁ ଜେସିବିକୁ ଛଡାଇନେଇଥିଲେ।

ଏହି ଚଢାଉରେ ଖୋର୍ଦ୍ଧା ଜିଲ୍ଲା  ସହକାରୀ ବନାଞ୍ଚଳ ଅଧିକାରୀଙ୍କ ସମେତ  ଟାଙ୍ଗୀ, ରଣପୁର, ବାଲୁଗାଁ ଏବଂ ଖୋର୍ଦ୍ଧା ବନ ବିଭାଗର ରେଞ୍ଜର ଓ  ଟିମ୍ ସାମିଲ ହୋଇଥିଲେ। ତେବେ ଘଟଣାସ୍ଥଳରୁ ଫେରିବା ବେଳକୁ ସଂଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଏହି ଘଟଣାକୁ  ନେଇ ବନ ବିଭାଗ ପକ୍ଷରୁ ବାଣପୁର  ଥାନାରେ ଏତଲା ଦିଆଯିବ ବୋଲି ଟାଙ୍ଗୀ ରେଞ୍ଜର ରବିନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି।

Related posts