ରାମେଶ୍ୱରରୁ କୁହୁଡି ଅଂଚଳକୁ ଆସୁଥିଲା ଚୋରା ମଦ: ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ଜବତ କଲା ଚାନ୍ଦପୁର ପୋଲିସ

Published: Aug 4, 2021, 1:40 pm IST

ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ  ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ  ପୋଲିସ୍  ଗାଡି ୨ ଟିକୁ ଅଟକାଇବା  ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା।

ଜବତ ହୋଇଥିବା ଗାଡିରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ମହଜୁଦ ଥିବା ଜଣାପଡିଛି। ଏହି ମାରୁତି ଭ୍ୟାନରେ ବାକାର୍ଡୀ, ମାକଡୁଏଲ ନଂ ୧ ପ୍ରିମିୟମ, ହଣ୍ଟର ଆଦି ଦାମୀ ବିଦେଶୀ ମଦ ବୋତଲ ଥିବା ଜଣା ପଡିଛି। ଏହି ୨ ଟି ଭ୍ୟାନରେ ୧୪୫୨ ମଦ ବୋତଲ ଥିବା ପୋଲିସ୍ ଏସଡିପିଓ ଏସ୍ ଟପ୍ନୋ ପ୍ରକାଶ କରିଛନ୍ତି। ଗାଡି ମାଲିକ କୁହୁଡି ଅଂଚଳର ବୋଲି ପୋଲିସ୍ ଜାଣିବାକୁ ପାଇଛି। ଏ ନେଇ ପୋଲିସ୍ ୧୦୮/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କୁ ଜୋରଦାର କରିଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ ଏହି ଚଢାଉରେ ନେତୃତ୍ଵରେ ନେଇଥିଲେ।

Related posts