
ସୀତାରମ ଅଗ୍ରୱାଲ
ଟାଙ୍ଗୀ: ବର୍ତ୍ତମାନ ବେଆଇନ ଗୋରୁ ଚାଲାଣକାରୀଙ୍କ ହବ ଖୋର୍ଦ୍ଧା ଜିଲ୍ଲା ପାଲଟିଥିବା ବେଳେ ଗୋମାଫିଆଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଗତ ଏକ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଦ୍ୱାରା ଶତାଧିକ ଗୋରୁ ଉଦ୍ଧାର ହୋଇଥିବାବେଳେ ଗତକାଲି ଏକାକୀ ଟାଙ୍ଗୀ ପୋଲିସ ପାଖାପାଖି ୬୯ ଗୋରୁଙ୍କୁ ଉଦ୍ଧାର କରିଛି। ଏବଂ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।
ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଏକ ବଡ଼ କଣ୍ଟେନରରେ ଏକାଧିକ ଗୋରୁଚାଲାଣ ହେଉଥିବାର ଖବର କୌଣସିସୂତ୍ରରୁ ଗତକାଲି ବାଲୁଗାଁ ଏସଡ଼ିପିଓ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ପାଖାପାଖି ରାତି ୧୨ ଘଟିକାରେ ଉକ୍ତ ଟିମ ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଦୀକ୍ଷିତପଡ଼ା ଗ୍ରାମରୁ ଜବତ କରିଥିଲା। ଉକ୍ତ କଣ୍ଟେନରରୁ ୬୯ ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଗାଡି ଚାଳକଙ୍କୁ ଗିରଫ କରିଛି। ୬୯ ଗୋରୁଙ୍କ ମଧ୍ୟରୁ ୧୬ ଟି ଗୋରୁ ମୃତ ହୋଇଥିବା ବେଳେ ଅବଶିଷ୍ଟ ଗୋରୁଙ୍କୁ କଟକ ଚୌଦ୍ଵାର ନନ୍ଦ ଗାଁ ଗୋଶାଳକୁ ପୋଲିସ ଜିମା ଦେଇଛି। ତେବେ ମୃତ ଗୋରୁଙ୍କ ପୋଲିସ ଅନ୍ତିମ ସଂସ୍କାର କରିଛି।
ଏସଂକ୍ରାନ୍ତରେ ଟାଙ୍ଗୀ ପୋଲିସ କେସ ନମ୍ବର ୧୯୪/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଟାଙ୍ଗୀ ପୋଲିସ ଦ୍ୱାରା ଏତେ ପରିମାଣରେ ଗୋରୁ ଉଦ୍ଧାର ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘଟଣା।
ସୂଚନା ଥାଉକି ଟାଙ୍ଗୀ ଥାନାରେ ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକ ଯୋଗଦେବା ପରଠାରୁ ଉକ୍ତ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଲଗାମ ଲାଗୁଥୁବାର ଦେଖାଯାଇଛି।