ଗୋରୁମାଫିଆଙ୍କ ଅମାନବୀୟ କାର୍ଯ୍ୟ: ଟାଙ୍ଗୀ ଚାନ୍ଦପୁର ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଗଲେ ୧୦ ମୃତ ଗୋରୁ

Published: Jun 15, 2021, 8:21 pm IST

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ବେଳକୁ ବେଳ ଗୋରୁମାଫିଆଙ୍କ ପାଦୁର୍ଭାବ ବଢିଚାଲିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ବେଆଇନ ଚାଲାଣ କରି ରାଜ୍ୟ ବାହାରକୁ ନିଆଯାଉଥିବା ଅଭିଯୋଗ ହେଉଛି। ପୋଲିସର କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ସେମାନଙ୍କର ବେଆଇନ କାରବାର କମିବାର କାହିଁ ଦେଖାଯାଉନି। ଗୋରୁଙ୍କୁ ଦୟନୀୟ ଭାବେ ଧାନ ବସ୍ତା ଲଦି ନେଲା ଭଳି ମାଫିଆମାନେ ଗାଡିରେ ଭର୍ତ୍ତି କରି ନେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଜୀବିତ ଗୋରୁ ଶ୍ଵାସ ରୁଦ୍ଧ ହୋଇ କିମ୍ବା ଖାଦ୍ୟ ଅଭାବ ଯୋଗୁଁ ଗାଡି ଭିତରେ ମୃତ୍ୟୁବରଣ କରୁଛନ୍ତି।

ଗତ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେହି କଣ୍ଟେନରରେ ମୋଟ ୬୯ ଟି ଗାଈ ଦୟନୀୟ ଭାବେ ବନ୍ଧା ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ ଟି ଗାଈ ମୃତ୍ୟୁବରଣ କରିଥିଲେ। ଟାଙ୍ଗୀ ପୋଲିସ ସମସ୍ତ ମୃତ ଗାଈଙ୍କୁ ଉଦ୍ଧାର କରି ସଂସ୍କାର କରିଥିଲା।

ତେବେ ଗତକାଲି ରାତିରେ କୌଣସି ଗୋରୁମାଫିଆ ପାଖାପାଖି ୧୦ ଟି ମୃତ ଗାଈଙ୍କୁ ଟାଙ୍ଗୀ ଏବଂ ଚାନ୍ଦପୁର ରାସ୍ତା କଡରେ ଫୋପାଡି ଦେଇ ଚାଲିଥିବା ସନ୍ଦେହ କରିଯାଉଛି। ଗୋରୁମାଫିଆମାନେ ଗୋରୁ ଚାଲାଣ ବେଳେ ୧୦ ଟି ଗାଈ ମୃତ୍ୟୁ ହେବା ଯୋଗୁଁ ଟାଙ୍ଗୀ ପଥରବନ୍ଧ ରାସ୍ତା ଓ ନୟାଗଡ ଜିଲ୍ଲା ଓସ୍ତାପଡା ରାସ୍ତା ପାର୍ଶ୍ଵରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଟାଙ୍ଗୀ ଓ ଚାନ୍ଦପୁର ପୋଲିସ୍ ବାରମ୍ବାର ଗୋରୁ ଗାଡି ଜଵତ କରି ମାଫିଆ ମାନଙ୍କୁ ବାନ୍ଧୁଥିବା ବେଳେ ଏବେ ବି କେତେକ ମାଫିଆ ସକ୍ରିୟ ଅଛନ୍ତି। ତେଣୁ ଗୋରୁ ଚାଲାଣ ଉପରେ ପୋଲିସ୍ ଆହୁରି କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Related posts