ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟାଘଟଣା: ୬ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

Published: Jul 5, 2021, 8:15 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତି ୮ଟାରେ ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ନିଜ ଘର ପାଖରେ ଥିବା ବେଳେ ତାଙ୍କ ବଂଶର ଭାଇମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଏକ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ । ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ରେଢାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି।

ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା। ମୃତ ନିଲୁ ସାହୁକୁ ହତ୍ୟା କରିବାକୁ ଷଡଯନ୍ତ୍ର କେବେଠୁ ଚାଲିଥିଲା ବୋଲି ଜଣା ପଡିଛି। ନିଲୁ ସାହୁର ବଂଶର କେତେଜଣ ମିଶି ତାଙ୍କୁ ହତ୍ୟା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ରାସ୍ତା ଉପରେ ରାତି ସାରା ଶବ ପଡିରହିଥିବା ବେଳେ ପୋଲିସ୍ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲା। ସମ୍ବଲପୁରରୁ ସାଇନଟିଫିକ୍ ଟିମ୍ ଆସି ଏହାର ତଦନ୍ତ କରି ଫେରି ଯାଇଛନ୍ତିି। ମୃତ ନିଲୁ ସାହୁର ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବା ବେଳେ ପୋଲିସ୍ ୬ ଜଣକୁ ଅଟକ ରଖି ଏହାର ତଦନ୍ତ କରୁଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି।

Related posts