ଅଭିଯୁକ୍ତଙ୍କୁ କରାଯିବ ଏନକାଉଣ୍ଟର: ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏଭଳି କହିଲେ ମନ୍ତ୍ରୀ

Published: Sep 15, 2021, 12:31 pm IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ହାଇଦ୍ରାବାଦରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତଜଣଙ୍କ ପୋଲିସର କବଳରୁ ବହୁ ଦୂରରେ ରହିଛି। ଗତ ସପ୍ତାହରେ ହାଇଦ୍ରାବାଦରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ପୂର୍ବରୁ ଟୁଇଟ୍ କରି କହିଥିଲେ ଯେ, ତାଙ୍କୁ କିଛି ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ଏହି ସମୟରେ ତେଲେଙ୍ଗାନାର ଟିଆରଏସ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି ଯେ, ଏହି ଘୃଣ୍ୟ କାର୍ଯ୍ୟର ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ତେଲେଙ୍ଗାନା ସରକାରଙ୍କ ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଛନ୍ତି, “ଆମେ ଦୁଷ୍କର୍ମ ଓ ହତ୍ୟାକାରୀ ଅଭିଯୁକ୍ତକୁ ଗିରଫ କରିବୁ। ତାକୁ ଧରିବା ପରେ ଏକ ଏନକାଉଣ୍ଟର ହେବ। ଅଭିଯୁକ୍ତକୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି। ଅଭିଯୁକ୍ତ ଜଣକ ପଲ୍ଲାକୋଣ୍ଡା ରାଜୁ ବୋଲି ଜଣାପଡିଛି। ସେ ଝିଅଟିର ପଡ଼ୋଶୀ ବୋଲି କୁହାଯାଉଛି। ଅଭିଯୁକ୍ତର ଘର ଭିତରୁ ମୃତଦେହ ମିଳିବା ପରେ ସେ ଫେରାର ରହିଛି।

ଖବର ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖରୁ ସିଙ୍ଗେରେନି କଲୋନୀରେ ଝିଅଟି ନିଖୋଜ ହୋଇଯାଇଥିଲା। ପରଦିନ ତାଙ୍କ ମୃତଦେହ ପଡୋଶୀଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଝିଅଟିର ଶବକୁ ଏକ ଚାଦରରେ ଗୁଡ଼ାଇ ଦିଆଯାଇଥିଲା।

ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ, ହତ୍ୟାକାରୀକୁ ଗିରଫ କରାଯାଇଛି ବୋଲି କୁହାଯାଇଥିଲା। କିନ୍ତୁ ପରେ ଏହି ସୂଚନା ଭୁଲ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ପ୍ରସଙ୍ଗରେ ହାଇଦ୍ରାବାଦ ସହରରେ ଲଗାତାର ବିରୋଧ ଚାଲିଛି ଏବଂ ଉତ୍ତେଜନା ଦେଖାଦେଇଛି। ପୀଡିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।

Related posts