୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଜଣେ ଗିରଫ

Published: Sep 29, 2021, 3:23 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ପୋଲିସ ସଫଳ ହୋଇଛି। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲିଗୁଡାରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱର ଅଭିମୁଖେ ଏକ ନିର୍ଦ୍ଦିଷ୍ଟ କାରରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ଖୋର୍ଦ୍ଧା ଏସପିଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ତେବେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଓଡି ୦୨-ଏଏଲ-୫୧୬୦ ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆମେଜ କାରକୁ ପୋଲିସ ସନ୍ଦେହ କରି ତଲାସୀ ନେଇଥିଲା। ଉକ୍ତ କାରରୁ ୫ ଟି ଗଞ୍ଜେଇ ବସ୍ତା ଜବତ ହୋଇଥବା ବେଳେ ମୋଟ ଗଞ୍ଜେଇର ପରିମାଣ ଏକ କ୍ୟୁଇଣ୍ଟାଲ ବୋଲି ଏସପି ଶ୍ରୀ ଦୋରା ସୂଚନା ଦେଇଛନ୍ତି। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଅନୁରୂପ ଭାବେ କାରରୁ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଜାମୁସାହିର ଆକାଶ ସାହୁ (୨୫)। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତେନ ବେହେରା, ଏସଆଇ ପଦ୍ମଲୋଚନ ବେହେରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୮୩/୨୧ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରିଛି।

Related posts