ଜମ୍ମୁ କାଶ୍ମୀର: ୬ ଦିନରେ ୭ ଜଣଙ୍କୁ ହତ୍ୟା, ୭୦୦ ଲୋକଙ୍କୁ ଅଟକ ରଖିଲା ସୁରକ୍ଷା ବାହିନୀ

Published: Oct 11, 2021, 12:33 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସାତ ଶହ ଲୋକଙ୍କୁ ଅଟକ ରଖିଛି। ୬ ଦିନ ମଧ୍ୟରେ କାଶ୍ମୀର ପଣ୍ଡିତ, ଶିଖ ଏବଂ ମୁସଲମାନ ସମ୍ପ୍ରଦାୟର ୭ ଜଣ ସାଧାରଣ ନାଗରିକଙ୍କ ହତ୍ୟା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ୫୦୦ ଲୋକ ଅଛନ୍ତି ଯେଉଁମାନେ ନିଷିଦ୍ଧ ଧାର୍ମିକ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, କାଶ୍ମୀରରେ ଲଗାତାର ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଏହି ପଦକ୍ଷେପ ନେଇଛି। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କଟ୍ଟରପନ୍ଥୀଙ୍କ ବୃଦ୍ଧି ହେତୁ ଆକ୍ରମଣ ହୋଇପାରେ।

ଏହାପୂର୍ବରୁ ରବିବାର ଦିନ ଏନଆଇଏ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଚଢାଉ କରି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଏଫ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ନିଷିଦ୍ଧ ଲଶ୍କର-ଏ-ତାଇବା ଗୋଷ୍ଠୀର ଟିଆରଏଫ ଏକ ସମ୍ମୁଖ ସଂଗଠନ ବୋଲି ବିଶ୍ୱାସ କରାଯାଏ। କାଶ୍ମୀର ଉପତ୍ୟକାରେ ସାଧାରଣ ନାଗରିକଙ୍କ ହତ୍ୟା ପାଇଁ ଟିଆରଏଫ ନିଜକୁ ଦାୟୀ କରିଛି। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସର ସହଯୋଗରେ କୁଲଗାମ, ଶ୍ରୀନଗର ଏବଂ ବାରାମୁଲ୍ଲା ଜିଲ୍ଲାର ସାତୋଟି ସ୍ଥାନରେ ଚଢାଉ କରାଯାଇଛି।

Related posts