
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୫୨୧ ଜଣ ଜାମିନି ବିହୀନ ଗିରଫ ପରୱାନା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଆରକ୍ଷୀ କେନ୍ଦ୍ରୀୟ ଉପ-ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ମୁତାବକ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।
ତେବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାର ସମସ୍ତ ଥାନାରେ ଜାମିନି ବିହିନ ଗିରଫ ପରୱାନା ଥିବା ଅଭିଯୁକ୍ତମାନଙ୍କ ଗିରଫ ପ୍ରକ୍ରିୟା ଜାରି ରହିଥିଲା। ଜିଲ୍ଲାର ସମସ୍ତ ଆଇଆଇସି ନଭେମ୍ବର ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଭିଯୁକ୍ତମାନଙ୍କ ଗିରଫ ପ୍ରକ୍ରିୟା ଜାରି ରଖିଥିଲେ।
ଏହି ପରିପ୍ରେକ୍ଷୀରେ ବାଲୁଗାଁ ଉପଖଣ୍ଡ ଅଧୀନରେ ଥିବା ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନା ଅଞ୍ଚଳରୁ ସମୁଦାୟ ୩୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ଟାଙ୍ଗୀ ଥାନା ଅଞ୍ଚଳରୁ ସର୍ବାଧିକ ୧୨୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ, ବାଣପୁର ଥାନା ଅଞ୍ଚଳରୁ ୧୧୧, ନିରାକାରପୁର ଥାନା ଅଞ୍ଚଳରୁ ୪୯ ଏବଂ ବାଲୁଗାଁ ଥାନା ଅଞ୍ଚଳରୁ ୨୫ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ସେହିଭଳି ଆଦର୍ଶ ଥାନା ଅଞ୍ଚଳରୁ ୭୯ ଜଣ, ସଦର ଥାନାରୁ ୫୫ ଜଣ, ବାଘମାରି ଥାନରୁ ୨ ଜଣ, ବେଗୁନିଆ ଥାନାରୁ ୫୨ ଜଣ, ବୋଲଗଡ ଥାନାରୁ ୪୧ ଜଣ, ଜଙ୍କିଆ ଥାନାରୁ ୪୯ ଜଣ, ନିରାକାରପୁର ଥାନରୁ ୪୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଖୋର୍ଦ୍ଧା ଜିଲ୍ଲା ପୋଲିସର ଉକ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଆଗାମୀଦିନରେ ସମସ୍ତ ବିଚରାଧୀନ ଥିବା ମାମଲାଗୁଡିକର ଫଇସଲା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ପୋଲିସ ଏହି ସମୟ ମଧ୍ୟରେ ୫୮୩ ଗୋଟି ଜାମିନି ବିହିନ ଗିରଫ ପରୱାନା ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ବେଳେ ୫୨୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅବଶିଷ୍ଟ ୬୨ ଗୋଟି ଗିରଫ ପରୱାନା ସମ୍ପୃକ୍ତ କୋର୍ଟକୁ ପଠାଇଦିଆଯାଇଛି।