ଭୁବନେଶ୍ବରର ଓକାକ୍ ଟାୱାରରେ କାମ କରୁଥିବା କର୍ମଚାରୀ ଦୁଇଦିନ ଧରି ନିଖୋଜ, ଅପହରଣ ସନ୍ଦେହ

Published: Nov 22, 2021, 9:23 pm IST

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରରୁ ଜଣେ କର୍ମଚାରୀ ନିଖୋଜ ଘଟଣା ପଦାକୁ ଆସିଛି। ସେ ହେଉଛନ୍ତି ଭୁବନେଶ୍ବରର ଓକାକ ଟାୱାରରେ ଥିବା ଏକ କଲ ସେଣ୍ଟରରେ କାର୍ଯ୍ୟ କରୁଥିବା ସ୍ବାଧୀନ ବେହେରା। ଗତ 20 ତାରିଖ ସଂଧ୍ୟାରେ ଅଫିସରୁ ବାହାରିବା ପରେ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ପରିବାର ତରଫରୁ ସହୀଦନଗର ଥାନାରେ ଏକ ଏଫଆଇଆର ଦିଆଯାଇଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସର କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ସ୍ବାଧୀନ ସବୁଦିନ ପରି ଗତ 20 ତାରିଖ ଶନିବାର ଦିନ କାର୍ଯ୍ୟ କରୁଥିଲେ। ତାଙ୍କର ହାବଭାବରୁ ସେପରି କୌଣସି ଟେନସନ ଥିବାର ଲକ୍ଷଣ ପ୍ରକାଶ ପାଇ ନ ଥିଲା। ସେ ରାତି 7 ଟା 55 ମିନିଟରେ ଅଫିସ ଛାଡିଥିଲେ। ସବୁଦିନ ପରି ସେ ଖଣ୍ଡଗିରି ନିକଟରେ ଥିବା ତାଙ୍କ ଭଡା ଘରକୁ ଯିବା କଥା। ହେଲେ ସେ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ।

ତାଙ୍କ ସାଙ୍ଗରେ ରହୁଥିବା ଅନ୍ୟ କର୍ମଚାରୀ ତାଙ୍କୁ ଫୋନ କରିଥିଲେ। ହେଲେ ତାଙ୍କର ଫୋନ ସୁଇଚଅପ ଥିଲା। ସକାଳ ପର୍ଯ୍ୟନ୍ତ ନ ଫେରିବାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଥିବା ତାଙ୍କ ପରିବାରଙ୍କୁ ଯୋଗଯୋଗ କରାଯାଇଥିଲା। ସେ ଘରକୁ ଯାଇ ନ ଥିବାରୁ ଜଣାପଡିବା ପରେ ଘର ଲୋକଙ୍କ ସାହାଯ୍ୟରେ ସହୀଦନଗର ଥାନାରେ ଏଫଆଇଆର ଦିଆଯାଇଛି। ତାଙ୍କୁ କେହି ଅପହରଣ କରିଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ପୋଲିସ ତରଫରୁ ଏ ନେଇ କୌଣସି ତତ୍ପତରତା ପ୍ରକାଶ ପାଇ ନ ଥିବାର ଜଣାପଡିଛି।

Related posts