ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନଜନକ ଶବ୍ଦ କହିଥିବା କାଲିଚରନଙ୍କୁ ଗିରଫ କଲା ପୋଲିସ

Published: Dec 30, 2021, 12:30 pm IST

ନୂଆଦିଲ୍ଲୀ: ଛତିଶଗଡରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନଜନକ ଶବ୍ଦ କହିଥିବା କାଲିଚରନ୍ ମହାରାଜଙ୍କୁ ରାୟପୁର ପୋଲିସ ଗିରଫ କରିଛି। କାଲିଚରନ୍ କୁ ଧରିବା ପାଇଁ ରାୟପୁର ପୋଲିସର ତିନୋଟି ଟିମ୍ ପଠାଯାଇଥିଲା। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଦଳ ପଠାଯାଇଥିଲା। ଆଜି ଭୋର ୪ ଟାରେ ରାୟପୁରର ବାଗେଶ୍ୱର ଧାମ ନିକଟରେ ଏକ ୭ ଜଣିଆ ପୋଲିସ ଟିମ୍ କାଲିଚରନଙ୍କୁ ଗିରଫ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୨୬ ତାରିଖ ସନ୍ଧ୍ୟାରେ ରାୟପୁରର ଧର୍ମ ସଂସଦରେ କାଲିଚରନ୍ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ଏହା ପରେ କାଲିଚରନ୍ ନିଜେ ଟ୍ରେନ୍ ଯୋଗେ ଛତିଶଗଡରୁ ପଳାଇ ଯାଇଥିଲେ। ପରଦିନ କାଲିଚରନ୍ ଏକ ଭିଡିଓ ରିଲିଜ୍ କରି ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ବୋଲି କହିଥିଲେ। ଏହି ଭିଡିଓ ପରେ ପୋଲିସର ସାଇବର ସେଲ୍ ଟିମ୍ ଏହି ଭିଡିଓର ଅନୁସନ୍ଧାନ କରିଥିଲା।

କାଲିଚରନର ଏହି ଭୁଲ ତାଙ୍କ ବ୍ୟକ୍ତିଗତ ଠିକଣାର ରହସ୍ୟ ଉନ୍ମୋଚନ କରିଥିଲା। ବାସ୍ତବରେ ସେ ଛତରପୁର ପଲ୍ଲଭି ଗେଷ୍ଟ ହାଉସରୁ ଏହି ଭିଡିଓ ରିଲିଜ କରିଥିଲେ। ଫୋନର ଶେଷ ଅବସ୍ଥାନ ମଧ୍ୟ ଖଜୁରାହୋରେ ପୋଲିସ ପାଇଥିଲା। ତେଣୁ ଗିରଫ ପାଇଁ ତିନିଟି ଭିନ୍ନ ଭିନ୍ନ ଟିମ୍ ପଠାଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ,ସେ ରାୟପୁରରୁ ଫେରାର ହେବା ପରେ କାଲିଚରନଙ୍କ ଫୋନ ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଣିଥରେ ମଧ୍ୟପ୍ରଦେଶର ଖଜୁରାହୋରେ କାଲିଚରନଙ୍କ ଫୋନ୍ ଅନ୍ ହୋଇଥିଲା। ଏହା ପରେ ପୁଣି ଫୋନ୍ ବନ୍ଦ ହୋଇଯାଇଥିଲା। ପଲ୍ଲଭି ଗେଷ୍ଟ ହାଉସ ଠାରୁ ୨୫ କିଲୋମିଟର ଦୂରରେ ଥିବା ଏକ ଘରୋଇ କୋଠରୀରେ ରହୁଥିଲେ। ଅର୍ଥାତ୍ ଗିରଫ ହେବାର ଭୟରେ କାଲିଚରନ୍ ମଧ୍ୟପ୍ରଦେଶରୁ ଫେରାର ହୋଇପାରିନଥିଲେ। ସେଠାରୁ ରାୟପୁର ପୋଲିସ କାଲିଚରନଙ୍କୁ ଗିରଫ କରିଥିଲା।

Related posts