ଜମ୍ମୁ କାଶ୍ମୀର ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ପାଇଁ କାର୍ଯ୍ୟ କରୁଥିବା ୧୦ ଅଭିଯୁକ୍ତ ଗିରଫ

Published: Feb 16, 2022, 5:01 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସର ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (ଜେଏମ) ରେ କାମ କରିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀର ପୋଲିସର ନୂତନ ଭାବେ ଗଠିତ ଶାଖା ହେଉଛି ଏସଆଇଏ। ନିକଟରେ ଏସଆଇଏ ଗଠନ କରାଯାଇଛି। ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସହ ଜଡିତ ଅପରାଧର ଯାଞ୍ଚ ପାଇଁ ଏଜେନ୍ସିକୁ ଦାୟିତ୍ଵ ଦିଆଯାଇଛି।

ଅଧିକାରୀମାନେ କହିଛନ୍ତି ଯେ, କାଶ୍ମୀରର ଦକ୍ଷିଣ ଏବଂ କେନ୍ଦ୍ରୀୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଆଇଏ ଅଧିକାରୀମାନେ ରାତାରାତି ଚଢାଉ କରିଥିଲେ ଏବଂ ଦଶ ଜଣଙ୍କୁ ଗିରଫ କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ସିଆଇଏ ଅନୁସନ୍ଧାନ ବେଳେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀର ‘ସ୍ଳିପର ସେଲ୍ସ’ କିମ୍ବା ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କେହି ପରସ୍ପରର କାର୍ଯ୍ୟକଳାପ ବିଷୟରେ ଅବଗତ ନଥିଲେ ଏବଂ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ କମାଣ୍ଡରଙ୍କଠାରୁ ସିଧାସଳଖ ନିର୍ଦ୍ଦେଶ ନେଉଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ, ଏହି ମଡ୍ୟୁଲର ଲୋକମାନେ ଏପରି ଭାବରେ କାର୍ଯ୍ୟ କରୁଥିଲେ ଯେ ଜଣେ ସଦସ୍ୟ ଧରାଯାଉଥିଲେ ମଧ୍ୟ ବଡ ନେଟୱାର୍କ ନଷ୍ଟ ହୋଇନଥାଏ। କ୍ରମାଗତ ମନିଟରିଂ ମାଧ୍ୟମରେ ଏହି ମଡ୍ୟୁଲ୍ ଚିହ୍ନଟ ହେଲା। ଗିରଫ ବ୍ୟକ୍ତିମାନେ ଯୁବକ ନିଯୁକ୍ତି, ଟଙ୍କା ବ୍ୟବସ୍ଥା କରିବା ଏବଂ ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ପରିବହନ ସହିତ ଜଡିତ ଥିଲେ।

ଅନୁସନ୍ଧାନ ବେଳେ ସେଲ ଫୋନ୍, ସିମ୍ କାର୍ଡ, ବ୍ୟାଙ୍କ କାରବାର ରେକର୍ଡ ଏବଂ ଏକ ଡମି ପିସ୍ତଲ ମଧ୍ୟ ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଦେବା ଏବଂ ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରମାନଙ୍କୁ ନିଯୁକ୍ତି ଦେବା ଏହି ଲୋକଙ୍କ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେମାନଙ୍କଠାରୁ ଡିଜିଟାଲ୍ ରେକର୍ଡ ଜବତ କରାଯାଇଛି ଏବଂ ପ୍ରମାଣର ବିଶ୍ଳେଷଣ ପାଇଁ ସେମାନଙ୍କୁ ଫୋରେନସିକ୍ ଲାବୋରେଟୋରୀକୁ ପଠାଯାଉଛି।

Related posts