ବ୍ରହ୍ମପୁର: ୪୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

Published: Feb 21, 2022, 9:52 am IST

ବ୍ରହ୍ମପୁର: ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଏହି ଚଢାଉରେ ସାମିଲ ଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଛତ୍ରପୁର ଷ୍ଟେସନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଜଣେ ଯୁବକ ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ କରୁଥିଲା। ଯୁବକ ଜଣଙ୍କ ଠାରୁ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଯୁବକ ବ୍ରହ୍ମପୁର ସହରର ଶୁଭମ୍ ପଟ୍ଟନାୟକ ବୋଲି ସୂଚନା ରହିଛି। ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଏବଂ ଡ୍ରାଇଭର ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ। ଜବତ ଗଞ୍ଜେଇ ସୁରଟକୁ ଚାଲାଣ ହେଉଥିବା ଜଣାପଡିଛି।

Related posts