
ସୀତାରାମ ଅଗ୍ରୱାଲ
ବାଲୁଗାଁ: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ପାରିକଂସାରୀ ଗ୍ରାମରେ ଏଭଳି ଘଟଣା ଘଟିଛି। ଉକ୍ତ ଗ୍ରାମର ରାମ ନାୟକଙ୍କ ଘରୁ ହୋଇଛି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ରାମ ଆଜି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ ରାମ ଏବଂ ତାଙ୍କ ଧର୍ମପତ୍ନୀ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ରାମଙ୍କ ଧର୍ମପତ୍ନୀଙ୍କ ନିଦ ଭାଙ୍ଗିଯିବାରୁ ତାଙ୍କ ଘରର ସମସ୍ତ କବାଟ ଖୋଲା ଥିବାର ସେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଉକ୍ତ ଖବର ରାମଙ୍କୁ ଦେବାରୁ ଘରର ଆଲମିରା କବାଟ ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ।
ତେବେ ଉକ୍ତ ଆଲମିରାରୁ ନକଦ ୫ ଲକ୍ଷ ଟଙ୍କା ଏବଂ ୧୫ ଭରିରୁ ଅଧିକ ସୁନା ଗହଣା ଚୋରି ହୋଇଥିବାର ଉଭୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲୁଗାଁ ପୋଲିସ କେଶ ନମ୍ବର ୬୮/୨୨ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହଯୋଗରେ ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ କରୁଛନ୍ତି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ।